ଦୋକାନ ଉଚ୍ଛେଦ ବେଳେ ବିଷ ପିଇଲେ ମହିଳା

ବେଗୁନିଆ,୧୮।୨(ହର ପ୍ରସନ୍ନ ପଣ୍ଡା)ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅନ୍ତର୍ଗତ କୋଚିଆଖାଲ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଶାସନ ପକ୍ଷରୁ ସରକାରୀ ଜମିରୁ ଦୋକାନ ଗୃହ ଉଚ୍ଛେଦ ବେଳେ ଜଣେ ମହିଳା ବିଷ ପିଇଦେଇଥିଲେ। ସେ ହେଲେ କୃଷ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ସ୍ତ୍ରୀ ମିତା ପାଟଶାଣୀ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍‌ସ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଘଟଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି।
ପ୍ରକାଶଥାଉ କି, ବେଗୁନିଆ ତହସିଲ ଅନ୍ତର୍ଗତ କୁରୁମ(କୋଚିଆଖାଲ) ରାଜସ୍ବ ଗ୍ରାମର କୃଷ୍ଣଚନ୍ଦ୍ର ପାଟ୍ଟଶାଣୀ ସରକାରୀ ସ୍ଥାନରେ ଦୋକାନ ଗୃହ ନିର୍ମାଣ ସହ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। ପରେ ସରକାରୀ ସ୍ଥାନରୁ ଜବରଦଖଲ ହଟାଇବାକୁ ଅଭିଯୋଗ ହୋଇଥିଲା। ତହସିଲ ପକ୍ଷରୁ ଜାଗା ମାପ କରାଯାଇ ଉକ୍ତ ସ୍ଥାନରୁ ଜବରଦଖଲ ହଟାଇବାକୁ କୃଷ୍ଣଚନ୍ଦ୍ରଙ୍କୁ ନୋଟିସ ଜାରି ହୋଇଥିଲା। ହେଲେ ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ହଟାଇ ନ ଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ତହସିଲଦାର ତାପସ ବିଶି ଏବଂ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ସହିତ ଅନ୍ୟ କର୍ମଚାରୀମାନେ ଶନିବାର ପହଞ୍ଚି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ। କୃଷ୍ଣଚନ୍ଦ୍ରଙ୍କ ପରିବାର ଉଚ୍ଛେଦ ନ କରିବା ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଥିଲେ। ହେଲେ ପ୍ରଶାସନିକ ଅଧିକାରୀ ଉଚ୍ଛେଦ ଜାରି ରଖିଥିଲେ। ଏହି ସମୟରେ ମାନସିକ ଭାରସାମ୍ୟ ହରାଇ କୃଷ୍ଣଚନ୍ଦ୍ରଙ୍କ ସ୍ତ୍ରୀ ମିତା ପ୍ରଶାସନ ଆଗରେ ବିଷ ପିଇ ଦେଇଥିଲେ। ତାଙ୍କୁ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ତହସିଲଦାର ବିଶି କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଚ୍ଛେଦ କରାଯାଇଥିଲା। ସେଠାରେ ବିଶୃଙ୍ଖଳା ପରିସ୍ଥିତି ଉପୁଜିବାରୁ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖାଯାଇଛି।

Share