Categories: ଜାତୀୟ

କାର୍‌ ସହ ନଦୀସ୍ରୋତରେ ଫସିଗଲେ ମହିଳା

ଚଣ୍ଡିଗଡ଼,୨୫ା୬: ରବିବାର ସକାଳେ ହରିୟାଣାର ପଞ୍ଚକୁଲାରେ ଏକ ଖବର ଚର୍ଚ୍ଚାକୁ ଆସିଛି। ପାହାଡ଼ ଉପରେ ବର୍ଷା ହେବା ପରେ ଘାଗର ନଦୀରେ ଜଳ ପ୍ରବାହ ହଠାତ୍‌ ବୃଦ୍ଧି ହେତୁ ଜଣେ ମହିଳା ତାଙ୍କ କାର୍‌ ସହିତ ଭାସିଯାଇଥିଲେ। ସୌଭାଗ୍ୟ ବଶତଃ କାର୍‌ଟି ଏକ ପଥରରେ ଅଟକି ଯାଇଥିଲା। ପରେ ଏନ୍‌ଡିଆରଏଫ ଟିମ୍‌ ମହିଳାଙ୍କୁ ଉଦ୍ଧାର କରିଥିଲା।

ଏନ୍‌ଡିଆର୍‌ଏଫ୍‌ ଇନ୍ସପେକ୍ଟର ବାଲଜିତ୍‌ କହିଛନ୍ତି, ଜଣେ ମହିଳା ନଦୀରେ ଫୁଲ ପକାଇ ଫେରୁଥିଲେ। ଏହି ସମୟରେ ପ୍ରବଳ କରେଣ୍ଟ ଯୋଗୁ ତାଙ୍କ କାର୍‌ ସହ ସେ ଭାସି ଯାଇଥିଲେ। ମହିଳା ଜଣକ କାର୍‌କୁ ଜଳସ୍ରୋତରୁ ରକ୍ଷା କରିବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ ସଫଳ ହୋଇପାରି ନ ଥିଲେ। ଏହି ସମୟରେ ପଥର ଯୋଗୁ ତାଙ୍କ କାର୍‌ଟି ଅଟକି ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ମଧ୍ୟ ଏନ୍‌ଡିଆରଏଫ୍‌କୁ ସୂଚନା ଦେଇଥିଲା। ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ମହିଳା ଏବଂ କାର୍‌କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ଏହି ସମୟ ମଧ୍ୟରେ ପ୍ରବଳ ସ୍ରୋତ ଯୋଗୁ ଅନ୍ୟ ୮ ଜଣ ମଧ୍ୟ ନଦୀରେ ଫସି ରହିଥିଲେ, ୪ ଘଣ୍ଟା ପରେ ସେମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Share