ଝାରବନ୍ଧ,୧୮ା୧୦(ଡି.ଏନ୍.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ କୁସୁମଦର୍ହା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ସମାରୀ ବରିହା(୩୨) ଘରେ ସ୍ବାମୀ ସଦାଶିବଙ୍କ ବେକରେ ଗାମୁଛା ଭିଡ଼ି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଝାରବନ୍ଧ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି। ଅଭିଯୁକ୍ତ ସ୍ତ୍ରୀଙ୍କୁ ପୋଲିସ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି। ନିଶାସକ୍ତ ଅବସ୍ଥାରେ ସବୁଦିନ କାହିଁକି ଘରକୁ ଆସୁଛ କହି ଅଭିଯୁକ୍ତ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଗଳାରେ ଏକ ଗାମୁଛା ଭିଡ଼ି ଟାଣି ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ହିଁ ସଦାଶିବ ଟଳି ପଡ଼ିଥିବା ସାଧାରଣରେ ଆଲୋଚନା ହେଉଛି। ପୋଲିସ ଏହାର ଅଧିକ ତଦନ୍ତ ଚଳାଇଛି।