Categories: ଫୁରସତ

ଆଗ୍ନେୟଗିରି ଅତିକ୍ରମ କରି ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ମହିଳା

ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଲୋକମାନେ କିଛି ନା କିଛି କରିବସନ୍ତି। କିଏ କେଶ ବଢ଼ାଇ ରେକର୍ଡ କରନ୍ତି ତ ଆଉ କିଏ ନଖ ବଢ଼ାଇ ରେକର୍ଡ ସୃଷ୍ଟି କରନ୍ତି। ଏମିତି ଏକ ରେକର୍ଡପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଆଫ୍ରିକାର ଇଥିଓପିଆରେ। ଏଠାକାର ଆଫାର ଅଞ୍ଚଳରେ ଏର୍‌ଟା ଆଲେ ନାମକ ଏକ ବିପଜ୍ଜନକ ଆଗ୍ନେୟଗିରି ଅଛି। ଯେଉଁଠାରେ ଫୁଟୁଥିବା ଲାଭା କ୍ରମାଗତ ଭାବରେ ପ୍ରବାହିତ ହୁଏ। ଏହି କାରଣରୁ, ଏଠାରେ ଏକ ଲାଭାର ହ୍ରଦ ମଧ୍ୟ ସୃଷ୍ଟି ହୋଇଛି। ଯେଉଁ ତାପମାତ୍ରାରେ ମଣିଷ ନିମିଷକରେ ତରଳି ଯିବ। ଜାଣି ଆଶ୍ଚର୍ଯ୍ୟ ହେବେ କରୀନା ଓଲିୟାନି ନାମକ ଜଣେ ମହିଳା ଏହି ଲାଭା ହ୍ରଦକୁ ଦଉଡ଼ି ସାହାଯ୍ୟରେ ଅତିକ୍ରମ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

ଏର୍‌ଟା ଆଗ୍ନେୟଗିରି ଉପରେ ଏକ ବିଶେଷ ଧରଣର ଦଉଡ଼ି ବାନ୍ଧି କରୀନା ଅତିକ୍ରମ କରିଥିଲେ। ଏଥିସହ ସେ ଏକ ସ୍ବତନ୍ତ୍ର ପ୍ରକାରର ଶୁଟ୍‌, ହେଲମେଟ ଏବଂ ଅମ୍ଳଜାନ ସିଲିଣ୍ଡର ଧାରଣ କରିଥିଲେ। ସେ ପ୍ରାୟ ୩୨୯ ଫୁଟ ଉଚ୍ଚତାରୁ ଫୁଟୁଥିବା ଏହି ଲାଭା ଉପରେ ଅତିକ୍ରମ କରିଥିଲେ। ସେହି ସମୟରେ ତାପମାତ୍ରା ୧୧୮୭ ଡିଗ୍ରୀ ସେଲ୍‌ସିୟସ ଥିଲା। ଯାହାକି ଜଣେ ବ୍ୟକ୍ତିଙ୍କୁ କ୍ଷଣିକରେ ଦୁନିଆରୁ ନେଇ ଯାଇଥାନ୍ତା। ମାତ୍ର ଏହି ବିପଦପୂର୍ଣ୍ଣ ଜ୍ୱଳାମୁଖୀ ଲାଭ ପାର କରି ଗିନିଜ୍‌ ବୁକ୍‌ରେ ରେକର୍ଡ ସୃଷ୍ଟି କରିଛନ୍ତି କରୀନା।

ସେ କୁହନ୍ତି, ଜ୍ୱାଳାମୁଖୀ ଅତିକ୍ରମ କରିବା ତାଙ୍କର ଇଚ୍ଛା ଥିଲା। ମାତ୍ର ସେ ଜାଣି ନ ଥିଲେ ଏହା କେତେ ଭୟଙ୍କର। ଆଗ୍ନେୟଗିରି ପାର କରି ସେ ବିଶ୍ୱ ରେକର୍ଡ ସୃଷ୍ଟି କରିପାରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

Share