ନବଜାତ ଶିଶୁକନ୍ୟାକୁ ସମୁଦ୍ରରେ ଫିଙ୍ଗି ଦେଇଥିଲେ ମହିଳା, ହୋଇପାରେ ମୃତ୍ୟୁଦଣ୍ଡ

ନ୍ୟୁୟର୍କ,୧୭ା୧୨: ୨୦୧୮ରେ ଆମେରିକାର ଜଣେ ଭାରତୀୟ ବଂଶୋଭବ ମହିଳା ନିଜର ନବଜାତ ଶିଶୁକନ୍ୟାକୁ ଫ୍ଲୋରିଡାର ସମୁଦ୍ରରେ ଫିଙ୍ଗି ଦେଇଥିଲେ। ଯେଉଁଥିପାଇଁ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମହିଳାଙ୍କ ନାମରେ ହତ୍ୟା ଅଭିଯୋଗ କରାଯାଇଥିଲା। ଉକ୍ତ ମାମଲାର ତଦନ୍ତ ପରେ ତାଙ୍କୁ ଗିରଫ କରାଯାଇଛି। ମହିଳା ଜଣକ କହିଛନ୍ତି, ସେ ଜାଣି ନ ଥିଲେ ଝିଅ ଜନ୍ମ ପୂର୍ବରୁ ସେ ଗର୍ଭବତୀ ଅଛନ୍ତି। ପ୍ରସବ ପରେ ସେ ଭାବି ପାରିଲେନି କ’ଣ କରିବେ। ତେଣୁ ସେ ଶିଶୁକନ୍ୟାକୁ ସମୁଦ୍ର ମଧ୍ୟକୁ ଫିଙ୍ଗି ଦେଇଥିଲେ। ‘ବେବି ଜୁନ୍‌’ ନାମରେ ଜଣାଶୁଣା ଏହି ଶିଶୁର ମା’ ଆର୍ଯ୍ୟ ସିଂ ଅପରାଧ ସ୍ବୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଛି।

୨୦୧୮ରେ ଫ୍ଲୋରିଡା ବେଳାଭୂମିରେ ଏକ ଶିଶୁକନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏହା ଜୁନ୍‌ ୧ରେ ଦେଖିବାକୁ ମିଳିଥିଲା। ଏହି ଖବର ସ୍ଥାନୀୟ ଖବରକାଗଜରେ ମଧ୍ୟ ପ୍ରକାଶ ପାଇଥିଲା। ଯାହାକି ସେହି ସମୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ମାମଲାର ଅନୁସନ୍ଧାନ ପରେ ଡିଏନଏ ଟେଷ୍ଟରୁ ଜଣାପଡ଼ିଛି, ପିଲାଟି ଆର୍ଯ୍ୟ ସିଂଙ୍କ ଝିଅ। ଜଣେ ଅଧିକାରୀ କହିଛନ୍ତି, ସମୁଦ୍ରରେ ଫିଙ୍ଗି ଦିଆଯିବା ପରେ ଶିଶୁକନ୍ୟାଟି ଜୀବନ୍ତ ବୋଲି ବିଶ୍ୱାସ କରାଯାଉଥିଲା। ତେବେ ଏହି ମାମଲା କୋର୍ଟରେ ଶୁଣାଣି ପରେ ଆର୍ଯ୍ୟଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଇପାରେ ବୋଲି କୁହାଯାଉଛି।

Share