ଦେଢ଼ଶୁର ବଳାତ୍କାର କରିବା ପରେ ଚରମ ନିଷ୍ପତ୍ତି ନେଲେ ମହିଳା

ଭବାନୀପାଟଣା,୨୨ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳାଙ୍କୁ ନିଜ ସମ୍ପର୍କୀୟ ଦେଢ଼ଶୁର ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହାପରେ ମହିଳା ଜଣକ ଲୋକଲଜ୍ଜାକୁ ସହି ନ ପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଟିଙ୍ଗୋପଖାନ ଗ୍ରାମରେ ଏହି ଘଟଣା ଘଟିଛି।
ପୀଡ଼ିତାଙ୍କ ସ୍ବାମୀ ଦାଦନ ଖଟିବା ପାଇଁ ବାହାର ଅଞ୍ଚଳରେ ରହନ୍ତି। ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ। ଗତ ଏପ୍ରିଲ ୨୨ରେ ଏକ ବିବାହ ଭୋଜିରେ ସମ୍ପର୍କୀୟ ଦେଢଶୁର ଅରୁଣ ମାଝି (୨୮) ତାଙ୍କୁ କିଛି କାମ ଅଛି କହି ଘର ଭିତରକୁ ଆସିବାକୁ କହିଥିଲେ। ମହିଳା ଜଣକ ଭିତରକୁ ଯିବା ପରେ ଅରୁଣ ତାଙ୍କ ମୁହଁ ଓ ହାତକୁ ଗାମୁଛାରେ ବାନ୍ଧି ଜବରଦସ୍ତ ଘର ପାଖ ଜଙ୍ଗଲକୁ ଟେକିନେଇ ବଳାତ୍କାର କରିଥିଲେ। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିବା ନେଇ ମହିଳା ଜଣକ ସେତେବେଳେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଏହି ଘଟଣାକୁ ନେଇ ଗଁାରେ ଚର୍ଚ୍ଚା ହେବା ପରେ ଲୋକଲଜ୍ଜା ସହି ନ ପାରି ଶେଷରେ ମହିଳା ଜଣକ ଟିଙ୍ଗୋପଖାନ ଗ୍ରାମରୁ ନିଜ ବାପା ଘର ଜାମଚୁଆକୁ ଚାଲିଆସିଥିଲେ। ଅନ୍ୟପଟେ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଥିବା ବେଳେ ସୋମବାର ରାତିରେ ମହିଳା ଜଣକ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ସକାଳେ ଏହି ଘଟଣା ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି। ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମହିଳାଙ୍କ ପରିବାରବର୍ଗ ଦାବି କରିଛନ୍ତି। ଏ ନେଇ ଜୟପାଟଣା ଥାନାରେ ଏକ ମାମଲା (ନଂ.୧୪୫/୨୪) ରୁଜୁ ହୋଇଛି। ଘଟଣାରେ ସମ୍ପୃକ୍ତ ଥିବା ଦେଢ଼ଶୁର ଅରୁଣ ମାଝିଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ଏସ୍‌ଆଇ ବିନୟ ବେହେରା ପ୍ରକାଶ କରିଛନ୍ତି।

Share