ମହିଳାଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର

ଡେଲାଙ୍ଗ,୭ା୩(ଡି.ଏନ୍‌.ଏ.): ପୁରୀ ଜିଲା ଡେଲାଙ୍ଗ ତହସିଲଦାର ନିବେଦିତା ପରିଡ଼ା ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି। ସୂଚନା ମୁତାବକ, ଦୁଇ ବର୍ଷ ପୂର୍ବେ ସମ୍ପୃକ୍ତ ମହିଳା ଜଣକ ତାଙ୍କର ଅଢ଼େଇ ଏକର ଜମି ଜଳମଗ୍ନ ହୋଇ ଧାନ ଫସଲ ନଷ୍ଟ ହେଉଛି ବୋଲି ପୂର୍ବତନ ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଜଳ ନିଷ୍କାସନ ପଥକୁ କେତେଜଣ ଲୋକ ପୋଖରୀ ଆଡିବନ୍ଧ କରିବା ଦ୍ୱାରା ଜଳ ନିସ୍କାସନରେ ବ୍ୟାଘାତ ହେଉଛି ବୋଲି ସେ ଅଭିଯୋଗ କରିଥିଲେ। କୌଣସି କାରଣରୁ ସମାଧାନ ହୋଇପାରିନଥିଲା। ଏନେଇ ମହିଳା ଜଣକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଆସନ୍ତା ୧୦ତାରିଖରେ ଜିଲାପାଳ ଶୁଣାଣି କରିବେ ବୋଲି ମହିଳା ଜଣକ ଜାଣିବା ପରେ ନୂତନ ତହସିଲଦାର ପରିଡାଙ୍କୁ ଭେଟିବା ପାଇଁ ଯାଇଥିଲେ। ଏହି ସମୟରେ ତହସିଲଦାର ପରିଡା ଏକ କେସ୍‌ର ବିଚାର କରୁଥିବା ବେଳେ ମହିଳା ଜଣକ ଧସେଇ ପଶିବା ସହ ମୋର ରିପୋର୍ଟ କ’ଣ ପଠାଇଲ ବୋଲି କହିଥିଲେ। ମହିଳା ଜଣକ ବାରମ୍ବାର କହିବାରୁ ତହସିଲଦାର ପରିଡ଼ା ବିରକ୍ତି ପ୍ରକାଶ କରି ବାହାରକୁ ଯିବାକୁ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ତହସିଲଦାର ପରିଡ଼ା ପାଲଟା ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ପୂର୍ବରୁ ଅନେକ ଥର ଅଫିସକୁ ଆସି ଗାଳିଗୁଲଜ କରିଥିବା ସେ କହିଛନ୍ତି।

Share