ମହିଳାଙ୍କୁ କଚାଡ଼ି ମାରିଲା ହାତୀ

କେନ୍ଦୁଝର,୭ା୧(ସ୍ବ.ପ୍ର.): ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ବାଂଶପାଳ ବ୍ଲକ କଦକଳା ଧୀବର ସାହିରେ ଦନ୍ତାହାତୀ ଆକ୍ରମଣରେ ପ୍ରଭାତୀ ଧୀବର(୨୬)ଙ୍କ ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ହାତୀଟି ଗ୍ରାମରେ ପଶି ଉତ୍ପାତ କରିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ହାତୀ ଆକ୍ରମଣ କରିବାରୁ ଭୟରେ ପ୍ରଭାତୀ ଓ ତାଙ୍କ ସ୍ବାମୀ ପବିତ୍ର ଘରୁ ବାହାରି ଧାଇଁ ପଳାଇଥିଲେ। ପ୍ରଭାତୀ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ଶୁଣ୍ଢରେ ତାଙ୍କୁ ଧରି ତଳେ କଚାଡ଼ି ଦେବାରୁ ଗୁରୁତର ହୋଇଥିଲେ। ପରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଯାଇଥିଲା ହେଁ ସେଠାରେ ମୃତ୍ୟୁ ହୋଇଥିଲା। ଉକ୍ତ ଅଞ୍ଚଳରେ ୪ଟି ହାତୀ ବୁଲୁଥିବା ବେଳେ ଏହି ହାତୀଟି ଅଲଗା ହୋଇ ଏକୁଟିଆ ବୁଲୁଛି। ତେବେ ହାତୀ ଗତିବିଧି ନିରୀକ୍ଷଣ ପାଇଁ ବନବିଭାଗ କର୍ମଚାରୀ ନିୟୋଜିତ ହୋଇଥିଲେ କିପରି ଜାଣିପାରିଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି। ବିଳମ୍ବିତ ରାତିରେ ହାତୀଟି ପ୍ରଭାତୀଙ୍କୁ ଆକ୍ରମଣ କରିଥିବା ବେଳେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା କେନ୍ଦୁଝର ଡିଏଫ୍‌ଓ ଧନରାଜ ଏଚ୍‌ ଡି ସୂଚନା ଦେଇଛନ୍ତି। ଗତବର୍ଷ ଉକ୍ତ ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିଲା। ଚଳିତବର୍ଷ ଏହା ହାତୀ ଆକ୍ରମଣ ପ୍ରଥମ ମୃତ୍ୟୁ ଘଟଣା। କିଛିଦିନ ତଳେ ଘଟଗାଁ ରେଞ୍ଜରେ ଏକ ହାତୀର ମୃତ୍ୟୁ ଘଟିଥିବା ବେଳେ ଜଣେ ମୃତ୍ୟୁ ଘଟିଥିଲା।

Share