ନିଶା ମହାରଣାଙ୍କ ନାମରେ ମହିଳା ଥାନାରେ ଏତଲା

ଭୁବନେଶ୍ୱର,୩୧।୩(ସୂର୍ଯ୍ୟକାନ୍ତ ବେହେରା)ଚର୍ଚ୍ଚାରେ ଥିବା ନୃତ୍ୟ କଳାକାର ନିଶା ମହାରଣାଙ୍କ ନାଁରେ ମହିଳା ଥାନାରେ ଏତଲା ଦେଇଛି ମହିଳା କଂଗ୍ରେସ। ନିଶା ହୋଲିରେ କଂଗ୍ରେସ ଭବନ ମଧ୍ୟକୁ ପଶି କର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହ ସୋସିଆଲ ମିଡିଆରେ କଂଗ୍ରେସ ମହିଳା କର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ହତ୍ୟା ଧମକ ଦେବା ଆଦି ଦେଇଥିବା ନେଇ ଅଭିଯୋଗ କରାଯାଇଛି। ଏତଲା ଅନୁସାରେ, ଗତ ହୋଲିରେ ନିଶା ନିଶାସକ୍ତ ଅବସ୍ଥାରେ କଂଗ୍ରେସ ଭବନ ମଧ୍ୟକୁ ପଶି କର୍ମୀଙ୍କୁ ହୋଲି ମାରିବା ସହିତ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ କଂଗ୍ରେସ କର୍ମୀମାନେ ତାଙ୍କୁ କଂଗ୍ରେସ ଭବନରୁ ବାହାର କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ନିଶା ମହାରଣା କଂଗ୍ରେସ ମହିଳା କର୍ମୀଙ୍କୁ ସୋସିଆଲ ମିଡିଆରେ ଅସଭ୍ୟ ଭାଷାରେ ଗାଳି କରିବା ସହିତ ହତ୍ୟା ଧମକ ଦେଉଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ନିଶା ମଧ୍ୟ ମହିଳା ଥାନାରେ ଅଭିଯୋଗ କରିଛନ୍ତି। କଂଗ୍ରେସ ଭବନରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ସେ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଉଭୟ ପକ୍ଷରୁ ଥାନାରେ ହୋଇଥିବା ୨ଟି ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ସରିବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରିଣୀ ରୀନା ମିଶ୍ର କହିଛନ୍ତି।

Share