କରୋନା ସନ୍ଦେହରେ ସହଯୋଗ କଲେନି ଗ୍ରାମବାସୀ: ପିପିଇ କିଟ୍‌ ପିନ୍ଧି ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ

ମାଲକାନଗିରି, ୨୦ା୮ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲି ଗ୍ରାମରେ ଗୁରୁବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା କୃଷ୍ଣଚନ୍ଦ୍ର ନାୟକଙ୍କ ବୁଧବାର ମୃତ୍ୟୁ ଘଟିଛି। କୃ୍‌ଷ୍ଣଚନ୍ଦ୍ରଙ୍କ ଘର ମାଲକାନଗିରି ଜିଲା ମାଥିଲି ବ୍ଲକର ମାନ୍ଦାପାଲି ଗ୍ରାମରେ ା ତେବେ ସେ କିଛିଦିନ ହେଲା ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିବାରୁ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ପରିବାର ଲୋକେ ପ୍ରଥମେ ଜୟପୁର ନେଇ ଚିକିତ୍ସା କରିଥିଲେ। ପରେ କୋରାପୁଟ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କର କରୋନା ପରୀକ୍ଷା ପାଇଁ ସ୍ବାବ୍‌ ପଠାଯାଇଥିଲା। ମାତ୍ର କୃଷ୍ଣଚନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ଆସିବାରୁ ରିପୋର୍ଟ ଆସିବା ପୂର୍ବରୁ ତାଙ୍କୁ ପରିବାର ଲୋକେ ବିଶାଖାପାଟଣା ନେଇଯାଇଥିଲେ। ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହ ଗ୍ରାମକୁ ଅଣାଯାଇଥିଲା। କାଳେ କୃଷ୍ଣଚନ୍ଦ୍ର କରୋନା ସଂକ୍ରମିତ ହୋଇଥିବେ ସେହି ଆଶଙ୍କାରେ ଗ୍ରାମବାସୀ ମୃତଦେହ ସତ୍କାର ଲାଗି କୌଣସି ସହଯୋଗ କରି ନ ଥିଲେ। କୌଣସି ସମ୍ପର୍କୀୟ ମଧ୍ୟ ଏନେଇ ଆଗେଇ ଆସି ନ ଥିଲେ। ଫଳରେ ବାଧ୍ୟ ହୋଇ ସ୍ତ୍ରୀ ପୁଷ୍ପା ନିଜେ ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁଯାୟୀ ମୃତଦେହ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ନିଜେ ପିପିଇ କିଟ୍‌ ପିନ୍ଧି ସ୍ବାମୀଙ୍କୁ ମୁଖାଗ୍ନି ଦେଇଥିଲେ ା ଏହି ସମୟରେ ମାଥିଲି ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧା, ବିଡିଓ ଆଶିଷ କୁମାର ଭୋଇ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା କୃଷ୍ଣଚନ୍ଦ୍ର କରୋନା ସଂକ୍ରମିତ ହୋଇଥିବା ସମ୍ପର୍କରେ କୌଣସି ରିପୋର୍ଟ ହସ୍ତଗତ ହୋଇ ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ା

Share