ଆନନ୍ଦପୁର,୨ା୮(ସନ୍ତୋଷ ରାଉତ.): କେନ୍ଦୁଝର ଜିଲା ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସାହାସିକତା ପାଇଁ ବୈତରଣୀ ବନ୍ୟାଜଳରେ ଭାସିଯାଇଥିବା ଜଣେ ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଛି। ବୁଧବାର ସକାଳେ ଫକୀରପୁରର ମହିଳା ଜଣଙ୍କ ଶୌଚ ହେବା ପାଇଁ ନଦୀ ନିକଟକୁ ଆସିଥିଲେ। ଏହି ସମୟରେ ନଦୀରେ ବନ୍ୟାଜଳ ନ ଥିଲା। ଏପରିକି ନଦୀରେ ବାଲି ପଠା ସ୍ପଷ୍ଟ ବାରି ହୋଇପଡୁଥିଲା। ହଠାତ୍ ବନ୍ୟାଜଳ ପ୍ରବେଶ କରିବା ଦ୍ୱାରା ମହିଳାଙ୍କୁ ଭସାଇ ନେଇଥିଲା। ଖବରପାଇ ଆନନ୍ଦପୁର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ବନ୍ୟାଜଳ ମହିଳାଙ୍କୁ ଭସାଇ ନେଇ ନଦୀର ମଧ୍ୟ ଭାଗରେ ଥିବା ଏକ ଟାପୁ ଅଞ୍ଚଳରେ ଲଗାଇଥିଲା। ଆଗ୍ନିକ ଶ୍ରୀକାନ୍ତ ରାଉତ ପ୍ରଥମେ ନଦୀମଧ୍ୟକୁ ସାହାସିକତାର ସହ ପ୍ରବେଶ କରି ମହିଳାଙ୍କୁ ଠାବ କରିବା ପରେ ଆଗ୍ନିକ ଅଭିମନ୍ୟୁ ଦାସ, ସୁଶାନ୍ତ କୁମାର ଦାସ ପହଞ୍ଚି ମହିଳାଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ପରେ ଉଦ୍ଧାର ମହିଳାଙ୍କୁ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।