ପାଟଣା,୧୧ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ହାଟ ତୋଟା ସାହିରେ ଶନିବାର ରାତିରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣେ ୫୫ ବର୍ଷୀୟା ମହିଳା ଶୈଳବାଳା ବେହେରା ଗୁରୁତର ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୈଳାବାଳଙ୍କର ରବିବାର ରାତିରେ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ଶୈଳବାଳା ଶନିବାର ରାତିରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ୍ ହୋଇ ଶାଢ଼ିରେ ନିଆଁ ଲାଗିଯାଇଥିଲା। ଏଥିରେ ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦୁଝର ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।