ସ୍ବାମୀଙ୍କ ଚାପୁଡ଼ାରେ ସ୍ତ୍ରୀଙ୍କ ଜୀବନ ଗଲା: ୩ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ମୃତଦେହ

ସବଡେଗା,୨୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ତଲସରା ଥାନା ଅଧୀନ ସବଡ଼େଗା ରୁନିପଡ଼ାରେ ସ୍ବାମୀଙ୍କ ଚାପୁଡ଼ାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିିଛି। ଘଟଣାର ୩ ଦିନ ପରେ ପୋଲିସ ମଙ୍ଗଳବାର ଘର ପଛପଟ କଦଳି ବୁଦା ତଳୁ ଉଦ୍ଧାର କରିଛି ମହିଳାଙ୍କ ମୃତଦେହ। ମୃତକ ହେଲେ ଖଇରୁ ନାଏକଙ୍କ ସ୍ତ୍ରୀ ସକୁନ୍ତଳା ନାଏକ(୫୦)।
ମିଳିଥିବା ସୂଚନାମୁତାବକ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ଲାଗି ରହୁଥିଲା। ଗତ ଶନିବାର ସନ୍ଧ୍ୟାରେ ଖଇରୁ ମଦ୍ୟପାନ କରି ଘରକୁ ଆସିଥିଲେ। ସେତିକିବେଳେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଖଇରୁ ଉତ୍ୟକ୍ତ ହୋଇ ସକୁନ୍ତଳାଙ୍କୁ ଏକ ଚାପୁଡ଼ା ମାରିଥିଲେ। ଫଳରେ ସକୁନ୍ତଳାଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ପରେ ଖଇରୁ ଘରେ ଥିବା ଅନ୍ୟ ଜଣେ ମହିଳାଙ୍କ ସହ କଦଳି ଗଛ ବୁଦା ତଳେ ମୃତଦେହ ପୋତି ଦେଇଥିଲେ। ସକୁନ୍ତଳା ଜଣଙ୍କ ଘରେ କାମ କରୁଥିଲେ। ୩ ଦିନ ହେଲା କାମକୁ ଯାଇ ନ ଆସିବାରୁ ମାଲିକଙ୍କ ଘର ଲୋକେ ସକୁନ୍ତଳାଙ୍କ ବିଷୟରେ ଜଣିବାକୁ ଆସିଥିଲେ। ଏନେଇ ଖଇରୁ କିଛି କହି ନ ଥିଲେ। ଏଥିରେ ପଡୋଶୀ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଖଇରୁଙ୍କୁ ପଚରାଉଚୁରା ପରେ ସ୍ତ୍ରୀଙ୍କୁ ମାରି ପୋତି ଦେଇଥିବା ସ୍ବୀକାର କରିଥିଲା। ସବଡ଼େଗା ତହସିଲଦାର ସୁଦିପ ଟପ୍ପୋଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ତଲସରା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଖଇରୁ ଏବଂ ଉକ୍ତ ମହିଳାଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

Share