ଫାଣ୍ଡି ପରିସର କାର୍‌ ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା: ତଦନ୍ତ କରିବେ ମହିଳା ଥାନା ଇନ୍ସପେକ୍ଟର

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ପଡ଼ି ରହିଥିବା ଏକ ଜବତ କାର୍‌ ଭିତରେ ମାସକ ତଳେ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା। ପୋଲିସ ସେତେବେଳେ ଏହି ଘଟଣାର ତଦନ୍ତ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଚପାଇ ଦିଆଯାଇଥିଲା। ଶନିବାର କମିଶନରେଟ ପୋଲିସ ପଦକ୍ଷେପ ଗ୍ରହଣ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଭାର ମହିଳା ଥାନା ଇନ୍ସପେକ୍ଟରଙ୍କୁ ଦିଆଯାଇଥିବା ପ୍ରେସ୍‌ମିଟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଘଟଣା। ଫେବୃୟାରୀ ୧୫ରେ ଘଟଣା ଜଣାପଡ଼ିବା ପରେ ପଦକ୍ଷେପ ନିଆଯାଇଛି। ଏମ୍ସ ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ମହିଳାଙ୍କର ଯକ୍ଷ୍ମାରେ ମୃତ୍ୟୁ ଘଟିଥିବା ଲେଖାଯାଇଥିବା ବେଳେ ତାଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମହିଳାଙ୍କ କଙ୍କାଳ ମିଳିଥିବା କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ୨୦୧୧ରେ କୋରାପୁଟ ପୋଲିସ ଯାଁଳା ଅଞ୍ଚଳରେ ଚଢ଼ାଉ କରି ଉକ୍ତ କାର୍‌ ଜବତ କରିବା ସହ ଫାଣ୍ଡିରେ ଜିମା ଦେଇଥିଲା। ଦୀର୍ଘ ୨ ବର୍ଷ ଧରି ଫାଣ୍ଡି ପରିସରରେ ପଡ଼ିଥିବା କାର୍‌କୁ ନେବା ପାଇଁ ଗତ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ଗାଡ଼ିମାଲିକ କୋର୍ଟରୁ ଅର୍ଡର ଧରି ପହଞ୍ଚିଥିଲେ। ପୋଲିସ ଗାଡ଼ିଟିକୁ ମାଲିକଙ୍କୁ ଜିମା ଦେବା ପୂର୍ବରୁ ଯାଞ୍ଚ କରିବା ସମୟରେ ସେଥିରୁ ଏକ ମୃତଦେହ ମିଳିଥିଲା। ବ୍ୟବଚ୍ଛେଦ ପାଇଁ ପଠାଇବାରୁ ଏହି କଙ୍କାଳଟି ଜଣେ ମହିଳାଙ୍କର ଏବଂ ବୟସ ୪୫ ବର୍ଷ ହେବ ବୋଲି ଜଣାପଡ଼ିଥିଲା। ଏସବୁ ତଥ୍ୟକୁ ଧରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Share