Categories: ଜାତୀୟ

୨୦୨୯ ପରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେବ: ସ୍ପଷ୍ଟ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ୨୦୨୯ ପରେ ମହିଳା ସଂରକ୍ଷଣ ବିଲ କାର୍ଯ୍ୟକାରୀ ହେବ ବୋଲି ବୁଧବାର ଲୋକସଭାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଯୁଗ ପରିବର୍ତ୍ତନକାରୀ ବିଲ। ମୋ ଦଳ ତଥା ମୋର ନେତା ପ୍ରଧାନମନ୍ତ୍ରୀ ମୋଦି ଜିଙ୍କ ପାଇଁ ମହିଳାଙ୍କ ସଂରକ୍ଷଣ ରାଜନୀତିର ବିଷୟ ନୁହେଁ, ବରଂ ସ୍ବୀକୃତିର ପ୍ରଶ୍ନ। ଆସନ୍ତାକାଲି ଭାରତୀୟ ସଂସଦ ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ଏହି ବିଲ ପାରିତ ହେବା ସହିତ ମହିଳା ଅଧିକାର ପାଇଁ ଦୀର୍ଘ ଲଢେଇ ଶେଷ ହେବ। ସଂସଦରେ ପାରିତ ହେବା ପରେ ଏହି ବିଲ ୨୦୨୯ ପରେ କାର୍ଯ୍ୟକାରୀ ହେବ। ମୁଁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।
ସେ ଆହୁରି ମଧ୍ୟ କହିଛନ୍ତି, କେତେକ ଦଳ ପାଇଁ ମହିଳା ସଶକ୍ତିକରଣ ଏକ ରାଜନୈତିକ ଏଜେଣ୍ଡା ହୋଇପାରେ। କେତେକ ଦଳ ପାଇଁ ମହିଳା ସଶକ୍ତିକରଣର ସ୍ଲୋଗାନ ନିର୍ବାଚନ ଜିତିବା ପାଇଁ ଅସ୍ତ୍ର ହୋଇପାରେ କିନ୍ତୁ ଭାଜପା ମହିଳା ସଶକ୍ତିକରଣ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ବରଂ ସ୍ବୀକୃତିର ପ୍ରଶ୍ନ। ମୋଦି ଜିଙ୍କ ନେତୃତ୍ୱରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଉଛି ବୋଲି ସମଗ୍ର ଦେଶ ତଥା ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେବାର ଆବଶ୍ୟକତା ରହିଛି।

Share