ଭାସିଗଲା କାଠପୋଲ, ଦ୍ରୁମ ଧରାଶାୟୀ

କଣିହାଁ,୨୬।୬(ସଚ୍ଚିଦାନନ୍ଦ ପ୍ରଧାନ): ଅନୁଗୋଳ ଜିଲା କଣିହାଁ ବ୍ଲକ ଟୋଲକବେଡ଼ା ଗ୍ରାମ ଟିକିରା ନଦୀରେ ଗ୍ରାମବାସୀଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ କାଠପୋଲର ଅର୍ଦ୍ଧାଧିକ ଅଂଶ ରବିବାର ଭାସିଯାଇଛି। ଲଘୁଚାପଜନିତ ଲଗାଣ ବର୍ଷାରେ ହଠାତ୍‌ ନଦୀ ଫୁଲି ଉଠିବାରୁ ଏଭଳି ଅଘଟଣ ଘଟିଥିବା ଗ୍ରାମବାସୀ କହିଛନ୍ତି।
ଟୋଲକବେଡ଼ା ଗ୍ରାମ ଟିକିରା ନଦୀ କୂଳରେ ଐତିହାସିକ ଗୁମ୍ଫା ସହ ନବନିର୍ମିତ ବିଷ୍ଣୁ ମନ୍ଦିର ରହିଛି। ପ୍ରତିବର୍ଷ ଏଠାରେ ଆଡ଼ମ୍ବର ସହକାରେ ମକର ସଂକ୍ରାନ୍ତି ପାଳିତ ହୋଇଥାଏ। ଏହି ସମୟରେ ସମଲ ବ୍ୟାରେଜ ଆନିକଟରେ ବ୍ରାହ୍ମଣୀ ନଦୀର ପଛୁଆ ପାଣି ରହୁଥିବାରୁ ଡିସେମ୍ବରରେ ଗ୍ରାମବାସୀ ଅସ୍ଥାୟୀ କାଠପୋଲ ନିର୍ମାଣ କରିଥାଆନ୍ତି। ଏହି ପୋଲ ଦେଇ ଶ୍ରଦ୍ଧାଳୁମାନେ ଗୁମ୍ଫା ଓ ମନ୍ଦିରକୁ ସହଜରେ ଯାଇଥାଆନ୍ତି। ଏବେ ପୋଲ କ୍ଷତିଗ୍ରସ୍ତ ହୋଇଥିବାରୁ ଏପାଖରୁ ସେପାଖକୁ ଯିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟପଟେ ନଈପାଣିରେ କାଠ ସବୁ ଭାସି ଯାଇଥିବାବେଳେ ଏହାକୁ ମରାମତି କରିବା ଦୁରୂହ ବ୍ୟାପାର ହୋଇଛି। ତେଣୁ ସରକାର ଏଠାରେ ଏକ ଝୁଲାପୋଲ ତିଆରି କଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଲକ୍ଷ୍ମୀନାରାୟଣ ୟୁଥ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି।
ଅପରପକ୍ଷେ ଏନ୍‌ଟିପିସି ପ୍ରକଳ୍ପ ନିକଟ ଗଦାଶିଳା ପଞ୍ଚାୟତ କରଡ଼େଇ ଗ୍ରାମ ଛକରେ ଥିବା ଏକ ପୁରାତନ ଅଶ୍ୱତ୍‌ଥ ବୃକ୍ଷ ଲଗାଣ ବର୍ଷାରେ ପୂର୍ବାହ୍ନ ୯ଟାରେ ଧରାଶାୟୀ ହୋଇପଡ଼ିଛି। ଗଛ ଉପୁଡ଼ି କୈଳାସ ଚନ୍ଦ୍ର ସାହୁଙ୍କ ଘର ପାଚେରି, ଷ୍ଟୋର ରୁମ୍‌ ଉପରେ ପଡ଼ିଥିଲା। ଏଥିସହ ବିଦ୍ୟୁତ୍‌ ତାର ଛିଣ୍ଡି ଯାଇଥିଲା। ମଧ୍ୟାହ୍ନରେ ଅଗ୍ନିଶମ ଅଧିକାରୀ ଭ୍ରମରବର ମହାନ୍ତିଙ୍କ ନେତୃତ୍ୱରେ କର୍ମଚାରୀମାନେ ଡାଳ କାଟିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।