ଭାସିଗଲା କାଠପୋଲ, ଯୋଗାଯୋଗ ବିଚ୍ଛିନ୍ନ

କୋଟଗଡ଼/କ.ନୂଆଗାଁ/ବାଲିଗୁଡ଼ା, ୮ା୮(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଭାସିଯାଇଛି କାଠପୋଲ। ଲହଡ଼ି ମାରୁଛି ଉଛୁଳା ଜଳ। ନାଳର ଏପାଖ ଲୋକ ସେପାଖକୁ ଯାଇପାରୁଛନ୍ତି ନା ସେପାଖ ଲୋକ ଏପାଖକୁ। ଏବେ ସେମାନଙ୍କ ପାଇଁ ଦୁଃଖ ଆଣିଦେଇଛି ଚିରସ୍ରୋତା କାଲିପେନୁ ନାଳ। ବହୁ ଶ୍ରମ ଦେଇ ନାଳ ଉପରେ ନିଜେ ତିଆରି କରିଥିବା ଅସ୍ଥାୟୀ ପୋଲକୁ ଭସାଇ ନେଇଛି ଅବିଶ୍ରାନ୍ତ ବର୍ଷା। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।
କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ କ.ନୂଆଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତର ଲକେବାଡ଼ିରୁ ବିରିନ୍ଦାପଡ଼ାକୁ ଯିବାବେଳେ ରାସ୍ତାରେ ପଡ଼େ କାଲିପେନୁ ଚିରସ୍ରୋତା ନାଳ। ସେହି ନାଳ ଉପରେ ତିଆରି ହୋଇଥିଲା ଏକ ଅସ୍ଥାୟୀ କାଠପୋଲ। ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଗୁହାରି କରାଯିବା ସତ୍ତ୍ୱେ ପ୍ରଶାସନ ପୋଲଟିଏ ତିଆରି କଲାନାହିଁ। ତେଣୁ ବାଧ୍ୟହୋଇ ବିରିନ୍ଦାପଡ଼ାବାସୀ ଓ ଆଖପାଖ ଚାରି ପାଞ୍ଚୋଟି ଗାଁର ଲୋକେ ଏକ ସ୍ବେଚ୍ଛାସେବୀ ସଂଗଠନର ମିଳିତ ସହଯୋଗରେ ଗତବର୍ଷ ଏହି ଅସ୍ଥାୟୀ କାଠପୋଲ ନିର୍ମାଣ କରିଥିଲେ। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ପୋଲଟି ଭାସିଯାଇଛି। ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ବିରିନ୍ଦାପଡ଼ାରେ ବାସ କରୁଛନ୍ତି ୩୫ ପରିବାର। ଆଉ ଆଖପାଖରେ ରହିଛି ଛୋଟ ଛୋଟ ୬ରୁ ୭ଟି ଗଁା। ଜରୁରୀ କାମରେ ବାହାରକୁ ବାହାରିଲେ ସମସ୍ତଙ୍କୁ ଏହି ନାଳ ପାର ହୋଇ ଯିବାକୁ ପଡ଼େ। କିନ୍ତୁ ଏବେ ଏହି ନାଳ ସମସ୍ତଙ୍କ ପାଇଁ ବିପଦ ଆଣିଦେଇଛି। ପୋଲଟି ଭାସିଯାଇଥିବାରୁ ଲୋକେ ଏବେ ଘରୁ ବାହାରିବା ଅସମ୍ଭବ। ତେଲଲୁଣର ସଂସାର ଚଳାଇବା ଲାଗି ବଜାରକୁ ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏପରି କି ନାଳ ଆରପାଖରେ ଥିବା ଚାଷଜମିକୁ ଯିବା ସମ୍ଭବ ହେଉନାହିଁ। ବର୍ତ୍ତମାନ ଚାଷକାର୍ଯ୍ୟ କେମିତି କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ବିରିନ୍ଦାପଡ଼ା ଓ ଲକେବାଡ଼ି ଗ୍ରାମବାସୀ। ଲୋକମାନଙ୍କ ଯାତାୟତ ପାଇଁ ବିକଳ୍ପ ରାସ୍ତା ଥିଲେ ମଧ୍ୟ ତାହା ତିନି ଚାରି କିଲୋମିଟର ଦୂର ହେଉଥିବାରୁ ଲୋକେ ଏହି ପୋଲ ଉପରେ ଯିବାଆସିବା କରିଥାନ୍ତି। ତେଣୁ ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି।

Share