ପୋଲ ପାଲଟିଛି ମରଣଯନ୍ତା: ବ୍ୟୟ ଅଟକଳ ସହ ସରିଛି ଟେଣ୍ଡର, ଆରମ୍ଭ ହେଉନି କାମ

ପୋଟେରୁ, ୨୮ା୯ (ସୌରଭ ମଣ୍ଡଳ): ମାଲକାନଗିରି ଜିଲାରୁ ମାଲକାନଗିର-ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର ପୋଟେରୁ ପୋଲ ମରଣଯନ୍ତା ପାଲଟିଛି। ପୋଲ ଉପରେ ବଡ଼ ବଡ଼ ଗାତ ହୋଇ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ବର୍ଷା୍‌ଦିନେ ଏହି ଗାତଗୁଡ଼ିକରେ ପାଣି ଭର୍ତ୍ତି ହୋଇଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି। ଏହି ପୋଲ ଉପରେ ପ୍ରତିଦିନ ବସ୍‌, ଟ୍ରକ୍‌ ସମେତ ବହୁ ଭାରିଯାନ ଚଳାଚଳ କରୁଛି। ବହୁ ପୁରୁଣା ପୋଲର ଅନ୍ୟ ପାର୍ଶ୍ୱ ଧୀରେ ଧୀରେ ଦବିଯାଉଥିବା ଦେଖିବାକୁ ମିଳୁଛି। ଏଠାରେ ନୂତନ ପୋଲ ନିର୍ମାଣ ଲାଗି ଅଟକଳ କରାଯାଇ ଟେଣ୍ଡର ସରିଛି। ମାତ୍ର ଏଯାଏ କାର୍ଯ୍ୟ ଆରମ୍ଭ ହୋଇନାହିଁ। ବର୍ଷା ଦିନେ ପୋଲ ଉପରେ ନିର୍ଭର କରୁଥିବା ମାଲକାନଗିରି ଜିଲା ସମେତ ଆନ୍ଧ୍ର-ଓଡ଼ିଶା-ତେଲଙ୍ଗାନା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଜାତୀୟ ରାଜପଥ ବିଭାଗକୁ ଏହି ରାସ୍ତା ଆସିବା ପରେ ଓଡ଼ିଶା, ଆନ୍ଧ୍ର, ତେଲଙ୍ଗାନାକୁ ଯାତାୟାତ ପାଇଁ ଉଚ୍ଚମାନର ରାସ୍ତା ନିର୍ମାଣ ହୋଇଛି। ଅଥଚ ପୁରୁଣା ପୋଲଗୁଡ଼ିକର ସ୍ଥିତି ବଦଳିପାରିନାହିଁ। ମାଲକାନଗିରି-ମୋଟୁ ରାସ୍ତାରେ ଥିବା ପୋଲଗୁଡ଼ିକ କମ୍‌ ଉଚ୍ଚତାରେ ରହିଥିବାରୁ ବର୍ଷା ହେଲେ ଯାତାୟାତ ପ୍ରାୟ ଠପ୍‌ ହୋଇଯାଉଛି। ଘଣ୍ଟା ଘଣ୍ଟା ଧରି ଜାତୀୟ ରାଜପଥରେ କମ୍‌ ଉଚ୍ଚତାରେ ଥିବା ଏହି ପୋଲ ବୁଡ଼ି ରହୁଥିବାରୁ ଏହି ସମୟରେ ମେଡିକାଲକୁ ଆମ୍ବୁଲାନ ଯାଇ ନ ପାରି ଅଧାବାଟରେ ଅଟକି ରହୁଛି। ତୁରନ୍ତ ଏଠାରେ ନୂତନ ପୋଲ ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।