‘ବଳରାମଗଡ଼ି ମାଛଧରା ବନ୍ଦର କାମ ଖୁବ୍‌ ଶୀଘ୍ର’

ବାଲେଶ୍ୱର ଅଫିସ,୧୮।୨- ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ବଳରାମଗଡ଼ି ସମୁଦ୍ରକୂଳରେ ଖୁବ୍‌ ଶୀଘ୍ର ପ୍ରସ୍ତାବିତ ମାଛଧରା ବନ୍ଦର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
୨୦୧୯ ଫେବୃୟାରୀ ୧୩ରେ ବଳରାମଗଡ଼ିରେ ମାଛଧରା ବନ୍ଦର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୫୧ଏକର ଜମି ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିବା ଏବଂ ପରିବେଶ ମଞ୍ଜୁରୀ ନେଇ ପ୍ରକଳ୍ପ କାର୍ଯ୍ୟରେ ବାଧକ ସାଜିଥିଲା। ପ୍ରକଳ୍ପ କାର୍ଯ୍ୟର ଆରମ୍ଭ ନେଇ ପରିବେଶ ମଞ୍ଜୁରୀର ସବୁଜ ସଙ୍କେତ ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବାର ସୂଚନା ମିଳିଛି। ୫୦କୋଟି ଟଙ୍କା ବିନିମୟରେ ଏହି ପ୍ରକଳ୍ପ ନିର୍ଦ୍ଦିଷ୍ଟ ସମୟରେ ଶେଷ ହେବ। ଏହି ଅଞ୍ଚଳରେ ହଜାର ହଜାର ପରିବାର ମତ୍ସ୍ୟ ସମ୍ପଦକୁ ମୁଖ୍ୟ ଜୀବିକା ଭାବି ଚଳୁଛନ୍ତି। କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତର ଏହା ଏକ ପ୍ରମୁଖ ମତ୍ସ୍ୟ ଉପତ୍ାଦନ କେନ୍ଦ୍ର। ଏଠାରୁ ପ୍ରତିଦିନ ହଜାରେରୁ ଊର୍ଦ୍ଧ୍ୱ ଟ୍ରଲର ଓ ଭୁଟୁଭୁଟି ସମୁଦ୍ରକୁ ମାଛ ଧରିବାକୁ ଯା’ଆସ କରିଥାନ୍ତି। ନଦୀ ମୁହାଣକୁ ପୁନରୁଦ୍ଧାର କରି ମାଛଧରା ବନ୍ଦର ନିର୍ମାଣ, ଜାଲବୁଣା ଓ ମାଛ ନିଲାମ ସେଟ୍‌ ସହ ଆବଶ୍ୟକୀୟ ସଂଖ୍ୟାର ବରଫକଳ ବ୍ୟବସ୍ଥା କରାଯାଇ ଉକ୍ତ ଅଞ୍ଚଳର ଆର୍ଥିକ ବିକାଶ ସହିତ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବାଲେଶ୍ୱର ଜିଲାରେ ମତ୍ସ୍ୟ ସମ୍ପଦର ବିକାଶ ଏବଂ ମତ୍ସ୍ୟ ଉପତ୍ାଦନ ବୃଦ୍ଧି ନେଇ ଭିତ୍ତିଭୂମି ତିଆରି ପାଇଁ ବ୍ୟାପକ ଯୋଜନା ହାତକୁ ନିଆଯାଇଛି। ପର୍ଯ୍ୟାୟକ୍ରମେ ସେ ସବୁର କାମ ମଧ୍ୟ ଆରମ୍ଭ ହେବ। ଏହାଦ୍ୱାରା ଜିଲାର ଆର୍ଥିକ ବିକାଶ ହେବା ସହ ବେକାର ଯୁବତୀଯୁବକ ରୋଜଗାର ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ କହିଛନ୍ତି।

Share