କୂଅ ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ଶ୍ରମିକଙ୍କ ଜୀବନ ଗଲା

ପୁରୁଷୋତ୍ତମପୁର,୧୭ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଶିଖରପୁର ଗ୍ରାମରେ ରବିବାର ସନ୍ଧ୍ୟାରେ କୂଅ ସଫାକରିବା ବେଳେ ଏଥିରେ ନିୟୋଜିତ ଶ୍ରମିକଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମର ମଙ୍ଗୁଳୁ ସ୍ବାଇଁ (୫୫)। ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ଅଧିକାରୀ ଆଲୋକ କୁମାର ଦଳେଇ ଓ କର୍ମଚାରୀଙ୍କ ସମେତ ଛତ୍ରପୁର ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଦୀର୍ଘ ୪ଘଣ୍ଟା ଧରି କୂଅ ମଧ୍ୟରେ ପଶିରହି ବହୁ ପରିଶ୍ରମ ପରେ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ମଙ୍ଗୁଳୁଙ୍କ ମୃତ୍ୟୁ ହୋଇସାରିଥିଲା। ମୃତଦେହକୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ଭାଟକୁମରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କୂଅ ମଧ୍ୟରେ କିରୋସିନି ଗନ୍ଧ ହେଉଥିବା ବେଳେ ପମ୍ପ ମୋଟର ମାଧ୍ୟମରେ ପାଣି ସଫା କରାଯାଉଥିବାକୁ ନେଇ କିରୋସିନି ଗନ୍ଧ ଓ ଧୂଆଁର ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି।

Share