ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ଜୀବନ ଗଲା

ଆନନ୍ଦପୁର,୨୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ମାର୍ଶାପାଳଠାରେ ଏଲିଫ୍ୟାଣ୍ଟ କରିଡର ଯୋଜନାରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟରେ ରଙ୍ଗ ଲଗାଉଥିବା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଠିକା ଶ୍ରମିକଙ୍କ ଜୀବନ ଯାଇଛି। ମୃତ ଶ୍ରମିକ କେନ୍ଦୁଝର ଜିଲା ବାମେବାରୀ ଥାନା ଗଡୁଆଟୋପା ଗ୍ରାମର ଭୀମ ମୁଣ୍ଡା। ସ୍ଥାନୀୟ ଅଞ୍ଚଳଟି ହାତୀମାନଙ୍କର ନିୟମିତ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ଏହି ସ୍ଥାନରେ ଅଳ୍ପ ଉଚ୍ଚରେ ଥିବା ବିଦ୍ୟୁତତାର ସବୁକୁ ନିୟମ ଅନୁସାରେ ଅଧିକ ଉଚ୍ଚ କରାଯାଉଛି। ଟେଣ୍ଡର ମାଧ୍ୟମରେ ଏହି କାମ ଚାଲିଥିବାବେଳେ ଏକ ନିର୍ଦ୍ଦିଷ୍ଟ ଠିକାସଂସ୍ଥା ପକ୍ଷରୁ ଏହି କାମ ଆଗେଇ ଚାଲିଛି। ତେବେ ବିଦ୍ୟୁତ୍‌ ବିଭାଗକୁ ଅବଗତ କରା ନ ଯାଇ ବିଦ୍ୟୁତ୍‌ ସରବରାହ ସମୟରେ ଠିକା ସଂସ୍ଥା ପକ୍ଷରୁ ଖୁଣ୍ଟରେ ରଙ୍ଗ ଲଗାଇବା କାର୍ଯ୍ୟ ଚାଲିଥିଲା। କାର୍ଯ୍ୟରତ ଶ୍ରମିକ ବିଦ୍ୟୁତ୍‌ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଉପସ୍ଥିତ ଠିକା ଶ୍ରମିକଙ୍କ ନିକଟରୁ ସୂଚନା ମିଳିଛି।