ରାଇରଙ୍ଗପୁର, ୧୪।୭, ( ମାନସ ମହାନ୍ତି): ମୟୁରଭଞ୍ଜ ଜିଲା ଜାମଦା ଥାନା ଅନ୍ତର୍ଗତ ଜଟାପାଣି ଗ୍ରାମରେ ଥିବା ଏକ ଅସ୍ଥାୟୀ ଶ୍ରମିକ କ୍ୟାମ୍ପରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଯଶିପୁର ଥାନା ଅନ୍ତର୍ଗତ ଭଞ୍ଜକିଆ ଗ୍ରାମର ହେମନ୍ତ କୁମାର ଜେରାଇ(୨୪) ବୋଲି ଜଣାପଡିଛି। ଭଞ୍ଜକିଆର ୧୦ ଜଣ ଯୁବକଙ୍କ ସହିତ ସେ ଜଟାପାଣିରେ ରହି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା(ଆରଡବ୍ଲ୍ୟୁଏସ୍ଏସସ୍ର ପାଣି ଟାଙ୍କି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ବୁଧବାର ସନ୍ଧ୍ୟା ପ୍ରାୟ ୬.୩୦ରେ କାମସାରି ସେମାନେ ରହୁଥିବା କ୍ୟାମ୍ପ୍କୁ ଫେରିଥିଲେ। ସେଠାରେ ଆଲୁଅ ଜଳିବା ପାଇଁ ବିଦ୍ୟୁତ୍ ତାର ସଂଯୋଗ କରୁଥିବାବେଳେ ଅସାବଧାନତା ଯୋଗୁ ଦିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଅଧା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ମୃତକଙ୍କ ବଡ଼ଭାଇ ଦୁଷ୍ମନ୍ତ ଜେରାଇ ଏତଲା କ୍ରମେ ଜାମଦା ଥାନାରେ କେସ୍ ନଂ-୯/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଗୁରୁବାର ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।