ଅସ୍ତ୍ରବିରତିକୁ ନେଇ ବିଶ୍ୱ ବିଭାଜିତ

ଜେରୁଜେଲମ୍‌ ,୯ା୧୨: ଦକ୍ଷିଣ ଇସ୍ରାଏଲ୍‌ ଉପରେ ହମାସ୍‌ ଅକ୍ଟୋବର ୭ରେ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ୨ ମାସ ପୂରିଥିବାବେଳେ ଜୋର୍ଡାନ ନଦୀ ଏବଂ ଭୂମଧ୍ୟସାଗର ମଧ୍ୟବର୍ତ୍ତୀ ଭୂଖଣ୍ଡରେ ଧ୍ୱଂସ ଓ ମୃତ୍ୟୁର ବିଭୀଷିକା ଲାଗି ରହିଛି। ହମାସ ଆତଙ୍କବାଦୀମାନେ ଦକ୍ଷିଣ ଇସ୍ରାଏଲ୍‌ରେ ପଶି ୧,୨୦୦ ଲୋକଙ୍କୁ ହତ୍ୟା କରିବା ସହ ୨୪୦ ଜଣଙ୍କୁ ଅପହରଣ କରିନେଇଯାଇଥିଲେ। ଫଳରେ ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଇସ୍ରାଏଲ୍‌ ସେନାର ବୋମାମାଡ଼ ଏବଂ ଆକାଶମାର୍ଗରୁ ଆକ୍ରମଣ ଜାରି ରହିଥିବାବେଳେ ଇତିମଧ୍ୟରେ ୧୬,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରୁ ଅନୂ୍ୟନ ୭,୦୦୦ ହେଉଛନ୍ତି ଛୋଟ ପିଲା। ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କ୍‌ରେ ଇସ୍ରାଏଲ୍‌ ଆକ୍ରମଣରେ ୨୦୦ରୁ ଅଧିକ ପାଲେଷ୍ଟିନୀୟ ନିହତ ହୋଇଛନ୍ତି ଓ ସମ୍ପୂର୍ଣ୍ଣ ଗାଁଗୁଡ଼ିକ ଜନଶୂନ୍ୟ ହୋଇଯାଇଛି। ଇସ୍ରାଏଲ୍‌ ସେନା ହସ୍ପିଟାଏ, ସ୍କୁଲ୍‌ ଏବଂ ଶରଣାର୍ଥୀ ଶିବିରଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରିବାରୁ ବହୁ ନିରୀହ ପ୍ରାଣ ହରାଇଛନ୍ତି। ଜାତିସଂଘ କର୍ମଚାରୀ ଓ ଏହାର ବିଲ୍ଠିଂ ମଧ୍ୟ ଆକ୍ରମଣରୁ ବାଦ୍‌ ପଡ଼ିନାହିଁ।
ଯୁଦ୍ଧ ବନ୍ଦ ଲାଗି ବିଭିନ୍ନ ଦେଶ ପକ୍ଷରୁ କୂଟନୈତିକ ସ୍ତରରେ ଉଦ୍ୟମ ଜାରି ରହିଛି। ଜାତିସଂଘରେ ଭୋଟ, ସର୍ବସାଧାରଣରେ ମନ୍ତବ୍ୟ ଏବଂ ବୃହତ୍‌ କୂଟନୈତିକ ପଦକ୍ଷେପ ଦୁଇ ମାସ ହେଲା ଜାରି ରହିଥିବାବେଳେ ଏହାର ଫଳପ୍ରଦ ହୋଇପାରି ନାହିଁ। ଇସ୍ରାଏଲ୍‌କୁ ସମର୍ଥନ ଓ ଯୁଦ୍ଧ ବନ୍ଦ ଦାବିକୁ ନେଇ ବିଶ୍ୱ ଦୁଇଭାଗ ହୋଇଯାଇଛି। ହିଂସା ଓ ଯୁଦ୍ଧ ଶେଷ କରିବା ପାଇଁ ‘ଯୁଦ୍ଧବିରତି’ ନା ‘ମାନବୀୟ ବିରାମ’ ଶବ୍ଦ ବ୍ୟବହାର କରାଯିବ, ତାକୁ ନେଇ ବିଶ୍ୱ ସହମତ ହୋଇପାରୁ ନାହିଁ। ଅଧିକାଂଶ ଦେଶ ଯୁଦ୍ଧବିରତି ସପକ୍ଷରେ ଦାବି କରୁଥିବାବେଳେ ଇସ୍ରାଏଲ୍‌ ସହଯୋଗୀ ରାଷ୍ଟ୍ର ବିରାମ ପାଇଁ କହୁଛନ୍ତି। ଜାତିସଂଘରେ ୫୫ ପ୍ରତିଶତ ଦେଶ ଗାଜାରେ ଯୁଦ୍ଧବିରତି ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ୨୩ ପ୍ରତିଶତ ମାନବୀୟ ବିରାମ ପାଇଁ କହିଛନ୍ତି। ଏହି ଦେଶଗୁଡ଼ିକ ମଧ୍ୟରେ ଅଛନ୍ତି ଆମେରିକା, ଜାପାନ, କାନାଡ଼ା, ଅଷ୍ଟ୍ରେଲିଆ, ବ୍ରିଟେନ୍‌ ପ୍ରମୁଖ। ୨୨ଟି ଦେଶ କୌଣସି ମତାମତ ଦେଇ ନ ଥିଲେ। ୪୬ ପ୍ରତିଶତ ଦେଶ ଇସ୍ରାଏଲ୍‌କୁ ଦଖଲକାରୀ କହିଥିବାବେଳେ ୫୪ ପ୍ରତିଶତ କୌଣସି ମତ ଦେଇନାହାନ୍ତି।

Share