ଭାରତୀୟ ଗଣତନ୍ତ୍ର ଭୁଶୁଡ଼ିଲେ ବିଶ୍ୱ ପ୍ରଭାବିତ ହେବ: ରାହୁଲ

ଓ୍ବାଶିଂଟନ, ୩ା୬ (ପି.ଟି.): ଭାରତୀୟ ଗଣତନ୍ତ୍ର ସାରା ବିଶ୍ୱର ହିତ ପାଇଁ ଉଦ୍ଦିଷ୍ଟ। ଗଣତନ୍ତ୍ର ଭୁଶୁଡ଼ିଲେ, ବିଶ୍ୱ ଉପରେ ଏହାର ପ୍ରଭାବ ପଡ଼ିବ ଏବଂ ଏହା ଆମେରିକାର ଜାତୀୟ ସ୍ବାର୍ଥ ନୁହେଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଗଣତନ୍ତ୍ର ପ୍ରସଙ୍ଗ ଦେଶର ଆଭ୍ୟନ୍ତରୀଣ ବ୍ୟାପାର। ଗଣତନ୍ତ୍ର ପ୍ରତି ଦେଖାଦେଇଥିବା ସଙ୍କଟ ବିରୋଧରେ ଲଢ଼େଇ ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଭାରତର ଗଣତନ୍ତ୍ର ପାଇଁ ଲଢ଼େଇ କରିବା ଆମର କାମ ବୋଲି ଗୁରୁବାର ନ୍ୟାଶନାଲ ପ୍ରେସ୍‌ କ୍ଲବ୍‌ଠାରେ ରାହୁଲ ଏକ ଖବରଦାତା ସମ୍ମିଳନୀକୁ କହିଛନ୍ତି। ସେହିପରି ଖ୍ୟାତନାମା ଭାରତୀୟ ଆମେରିକୀୟ ଫ୍ରାଙ୍କ୍‌ ଇସ୍‌ଲାମଙ୍କ ଦ୍ୱାରା ରାହୁଲଙ୍କ ପାଇଁ ଆୟୋଜିତ ଏକ ଅଭ୍ୟର୍ଥନା କାର୍ଯ୍ୟକ୍ରମରେ ସେ ଗଣତନ୍ତ୍ର ଉପରେ ଏକ ପ୍ରଶ୍ନର ସମାନ ଉତ୍ତର ଦେଇଥିଲେ। ଭାରତ-ଆମେରିକା ସମ୍ପର୍କକୁ ଅଧିକ ପ୍ରଶସ୍ତ କରିବା ଆବଶ୍ୟକ ରହିଛି। ଏହା କେବଳ ପ୍ରତିରକ୍ଷା ସମ୍ପର୍କରେ ସୀମିତ ରହିବା ଉଚିତ ନୁହେଁ ବୋଲି ରାହୁଲ କହିଥିଲେ।
‘ମୁସଲିମ୍‌ ଲିଗ୍‌ ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ ଦଳ ବୋଲି ନ୍ୟାଶନାଲ ପ୍ରେସ୍‌ କ୍ଲବ୍‌ରେ ଖବରଦାତାମାନଙ୍କ ସହ ଆଲୋଚନା ବେଳେ ରାହୁଲ ଦାବି କରିଥିଲେ। କେରଳରେ ମୁସ୍‌ଲିମ୍‌ ଲିଗ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ପ୍ରଶ୍ନ ହେବାରୁ ରାହୁଲ ଉପରୋକ୍ତ ଉତ୍ତର ଦେଇଥିଲେ। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ମହମ୍ମଦ ଅଲି ଜିନ୍ନାଙ୍କ ‘ମୁସ୍‌ଲିମ୍‌ ଲିଗ୍‌’ ପାଇଁ ଦେଶ ଧର୍ମ ଆଧାରରେ ଭାଗ ଭାଗ ହୋଇଥିଲା। ଉକ୍ତ ଦଳକୁ ଧର୍ମନିରପେକ୍ଷ କହିବା ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ରାହୁଲଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ। ବିଦେଶ ମାଟିରେ ରାଷ୍ଟ୍ରକୁ ଅପମାନିତ କରିବାକୁ ଦେଶବାସୀ କଦାପି ଗ୍ରହଣ କରିବେ ନାହିଁ ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି। ଏହାର ଜବାବରେ କଂଗ୍ରେସ ନେତା ପଓ୍ବନ ଖେରା କହିଛନ୍ତି, ଜିନ୍ନାଙ୍କ ମୁସ୍‌ଲିମ୍‌ ଲିଗ୍‌ ଏବଂ ଇଣ୍ଡିଆନ୍‌ ୟୁନିୟନ ମୁସଲିମ୍‌ ଲିଗ୍‌ (ଆଇୟୁଏମ୍‌ଏଲ୍‌) ଦୁଇଟି ଅଲଗା ଦଳ। କେରଳରେ ଆଇୟୁଏମ୍‌ଏଲ୍‌ ସହ କଂଗ୍ରେସର ମେଣ୍ଟ ରହିଛି। ରାହୁଲ ଉକ୍ତ ମୁସଲିମ୍‌ ଲିଗ୍‌ ସମ୍ପର୍କରେ କହିଥିବା ଖେରା ସଫେଇ ଦେଇଛନ୍ତି।

Share