ଫାଟିଗଲା ବିଶ୍ୱର ସବୁଠୁ ବଡ଼ ଆକ୍ୱାରିୟମ୍‌

ବର୍ଲିନ, ୧୮।୧୨: ଜର୍ମାନୀ ରାଜଧାନୀ ବର୍ଲିନରେ ଥିବା ବିଶ୍ୱର ସବୁଠୁ ବଡ଼ ଆକ୍ୱାରିୟମ୍‌ ଫାଟି ନଷ୍ଟ ହୋଇଯାଇଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହାକୁ ଦେଖିବା ପାଇଁ ଆସନ୍ତି। ଏହି ବିଶାଳକାୟ ଆକ୍ୱାଡୋମ୍‌ରେ ଥିବା ରଙ୍ଗିନ ମାଛ ଲୋକଙ୍କୁ ଅଧିକ ଆକୃଷ୍ଟ କରିଥାନ୍ତି। ପାଖାପାଖି ୮୦ ପ୍ରକାର ପ୍ରଜାତିରୁ ଊର୍ଦ୍ଧ୍ୱ ମାଛ ରହୁଥିବା ଆକ୍ୱାଡୋମ୍‌ ଆକ୍ୱାରିୟମ୍‌ ଶୁକ୍ରବାର ସକାଳୁ ଫାଟିଯାଇଛି। ୧୦ ଲକ୍ଷ ଲିଟର ଜଳ ଥିବା ଆକ୍ୱାରିୟମ୍‌ ଫାଟିବା ଦ୍ୱାରା ଏହା ପାଖରେ ଥିବା ହୋଟେଲ, କେଫ୍‌ ଏବଂ ଚକୋଲେଟ୍‌ ଷ୍ଟୋର୍‌ରେ ବନ୍ୟା ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଘଟଣାରେ ମୋଟ ୨ ଜଣ ଆହତ ହୋଇଥିବା ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ୟୁନିୟନ୍‌ ଇନ୍‌ଭେଷ୍ଟମେଣ୍ଟ ରିୟଲ୍‌ ଇଷ୍ଟେଟ୍‌ ପକ୍ଷରୁ ତିଆରି କରାଯାଇଥିବା ଏହି ଆକ୍ୱାରିୟମ୍‌ ଫାଟିବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

ସକାଳ ପ୍ରାୟ ୬ଟାବେଳେ ଏହି ବିଶାଳକାୟ ଆକ୍ୱାରିୟମ୍‌ ଫାଟିବା ଯୋଗ ଅଧିକ ସଂଖ୍ୟାରେ ଲୋକ ପ୍ରଭାବିତ ହୋଇ ନ ଥିବା ସ୍ଥାନୀୟ ମେୟର ଫ୍ରାଞ୍ଜିସ୍କା ଗିଫି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଆକ୍ୱାଡୋମ୍‌ର ଓ୍ବେବ୍‌ସାଇଟ୍‌ରେ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଏହା ବିଶ୍ୱର ସବୁଠୁ ବଡ଼ ସିଲିଣ୍ଡ୍ରିକାଲ ଆକ୍ୱାରିୟମ୍‌। ୪୬ ଫୁଟ (୧୪ ମିଟର) ଉଚ୍ଚତାରେ ସ୍ଥାପିତ ଏହି ଆକ୍ୱାରିୟମ୍‌ ଲମ୍ବ ୮୨ ଫୁଟ୍‌ (୨୫ ମିଟର)। ଆକ୍ୱାରିୟମ୍‌ର ତାପମାତ୍ରା ୧୦ ଡିଗ୍ରୀ ସେଲ୍‌ସିୟସ୍‌କୁ ଖସିଯିବା ଯୋଗୁ ଆକ୍ୱାଡୋମ ଫାଟିଥିବା ଆଲୋଚନା ହେଉଛ। ଆକ୍ୱାରିୟମ୍‌ରେ ଥିବା ୧,୫୦୦ ମାଛଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ କିଛି ମାଛ ସୌଭାଗ୍ୟବଶତଃ ବଞ୍ଚତ୍ୟାଇଛନ୍ତି। ୪୦୦ରୁ୫୦୦ ମାଛଙ୍କୁ ଭେଟେରିନାରୀ ଡାକ୍ତର ଓ ଅଗ୍ନିଶମ ବିଭାଗ ଦ୍ୱାରା ରକ୍ଷା କରାଯାଇଛି। ବିନା ଇଲେକ୍ଟ୍ରସିଟିରେ ଆକ୍ୱାଡୋମରେ ମାଛ ରହିବା କଷ୍ଟକର ହୋଇପଡ଼ିଥିବାବେଳେ ସେମାନଙ୍କୁ ନିକଟସ୍ଥ ସି ଲାଇଫ୍‌ ଆକ୍ୱାରିମ୍‌କୁ ସ୍ଥାନାନ୍ତର କରାଯାଇଛି। ୨୦ ବର୍ଷ ପୂର୍ବେ ଏହି ଆକ୍ୱାଡୋମ୍‌ ନିର୍ମାଣ କରିଥିବା ଆମେରିକାର ରେନଲ୍ଡ ପୋଲିମର ଟେକ୍ନୋଲୋଜି ଘଟଣାର ଯାଞ୍ଚ ପାଇଁ କମ୍ପାନୀ ପକ୍ଷରୁ ଏକ ଟିମ୍‌ ବର୍ଲିନ ପଠାଇବ। ଅନ୍ୟପକ୍ଷେ ୨୦୦୩ ଡିସେମ୍ବରରେ ଆକ୍ୱାଡୋମ୍‌ ଆକ୍ୱାରିୟମ୍‌ ପର୍ଯ୍ୟଟକଙ୍କ ଲାଗି ଖୋଲାଯାଇଥିବାବେଳେ ୨୦୨୦ରେ ଶେଷଥର ଲାଗି ଏହାର ମରାମତି ହୋଇଥିଲା।

Share