ଟୁଇଟର୍‌ରେ ଏଭଳି ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ

ଓ୍ବାଶିଂଟନ,୭।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ ଟୁଇଟର୍‌ରେ ଏକ ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ମସ୍କ ଏକ ସର୍ଭେରେ ପ୍ରଶ୍ନ କରିଛନ୍ତି ଯେ, ମୁଁ ଟେସ୍‌ଲାର ୧୦ ପ୍ରତିଶତ ଶେୟାର ବିକ୍ରି କରିବି କି? ଆସନ୍ତା ବର୍ଷରେ ସେ ଏକ ବଡ ଟିକସ ବିଲ ସାମ୍ନା କରିପାରନ୍ତି ବୋଲି ପୂର୍ବରୁ ମସ୍କ କହିଥିଲେ। ଏବେ ଶେୟାର ବିକ୍ରି କରିବାକୁ ସେ ଚିନ୍ତା କରିଛନ୍ତି।
ମସ୍କ କହିଥିଲେ ଯେ, ମୋର ନଗଦ ଟଙ୍କା ନ ଥିବାରୁ ଟିକସ ଦେବା ପାଇଁ ଶେୟାର ବିକ୍ରୟ କରିବା ଏକମାତ୍ର ପନ୍ଥା। ସେ ପୁଣି ଲେଖିଛନ୍ତି, ମୁଁ କୌଣସି ନଗଦ ଦରମା ନେଉ ନାହିଁ କିମ୍ବା କୌଣସି ସ୍ଥାନରୁ ବୋନସ ପାଇବି ନାହିଁ। ମୋର କେବଳ ଶେୟାର ଅଛି, ତେଣୁ ବ୍ୟକ୍ତିଗତ ଭାବେ ଟ୍ୟାକ୍ସ ଦେବାର ଏକମାତ୍ର ଉପାୟ ହେଉଛି ଶେୟାର ବିକ୍ରି କରିବା।
ଏଲନ ମସ୍କଙ୍କ ଦ୍ୱାରା ପରିଚାଳିତ ଟେସ୍‌ଲା ଶେୟାରଗୁଡିକର ମୋଟ ମୂଲ୍ୟ ପ୍ରାୟ ୩୦୦ ବିଲିୟନ ଡଲାର୍‌। ସେ ପଚାରିଥିଲେ, ‘ନିକଟ ଅତୀତରେ ଅବାସ୍ତବ ଲାଭରୁ ଟିକସ ଏଡ଼ାଇବା ପାଇଁ ଏକ ମାଧ୍ୟମ ହୋଇଛିି, ତେଣୁ ମୁଁ ଟେସ୍‌ଲାର ମୋର ୧୦ ପ୍ରତିଶତ ଅଂଶ ବିକ୍ରି କରିବାକୁ ଯାଉଛି। ମୁଁ ଯୋଜନା କରୁଛି ଆପଣ ଏହାକୁ ସମର୍ଥନ କରନ୍ତି କି?’
ମସ୍କଙ୍କ ଏହି ପ୍ରଶ୍ନ ଉପରେ ଏ ପର୍ଯ୍ୟନ୍ତ ୫୬.୯ ପ୍ରତିଶତ ଲୋକ ତାଙ୍କୁ ସମର୍ଥନ କରିବାକୁ କହିଛନ୍ତି। ଏଥିସହିତ ୪୩.୧% ଲୋକ ଏହାକୁ ବିରୋଧ କରିଛନ୍ତି। ତାଙ୍କର ଏହି ପୋଲ ଟୁଇଟ୍‌ ବର୍ତ୍ତମାନ ପ୍ରାୟ ୧୮ ହଜାର ଥର ରିଟୁଇଟ୍‌ କରାଯାଇଛି ଏବଂ ୮୯ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ମସ୍କ ଏହା ବିଷୟରେ କହିଛନ୍ତି ଯେ, ଯାହା ହେଉନା କାହିଁକି ମୁଁ ଏହାର ଫଳାଫଳ ଫଲୋ କରିବି।

Share