ଭୁଲ୍‌ ଇଞ୍ଜେକ୍‌ସନ ନେଲା ନାବାଳିକାଙ୍କ ଜୀବନ, ଅଭିଯୋଗ ଆଣିଲେ ପରିବାର ଲୋକେ

ଝାରସୁଗୁଡ଼ା ଅଫିସ,୧୬ା୬: ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ ଯୋଗୁ ଜଣେ ନାବାଳିକାଙ୍କ ଜୀବନ ଯାଇଛି। ଏନେଇ ଅଭିଯୋଗ ଆଣିଛନ୍ତି ମୃତ ଝିଅର ମାଆ। ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ କରିଛନ୍ତି ପରିବାରବର୍ଗ ଏବଂ ଗ୍ରାମବାସୀ। ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳର ତୁଳସୀ ମହାନନ୍ଦ(୬)ଙ୍କ ମୃତ୍ୟୁ ଭୁଲ ଇଞ୍ଜେକସନ ଯୋଗୁ ହୋଇଥିବା ଅଭିଯୋଗ ଆଣିଛନ୍ତି ମୃତ ତୁଳସୀଙ୍କ ମାଆ ପିଙ୍କି ମହାନନ୍ଦ।

ବୁଧବାର ରାତିରେ ତୁଳସୀଙ୍କ ମୃତଦେହ ଥାନା ଆଗରେ ରଖି ଧାରଣାରେ ବସିଥିଲେ ଶତାଧିକ ଗ୍ରାମବାସୀ। ଏନେଇ ସେମାନେ ବ୍ରଜରାଜନଗର ଥାନାରେ ଏକ ଲିଖିତ ଅଭିଯୋଗ କରି ଚିକିତ୍ସା କରିଥିବା ଡାକ୍ତର ସରୋଜ ପ୍ରଧାନଙ୍କ ନାମରେ ଏତଲା ଦେଇଛନ୍ତି। ସେ ତାଙ୍କ ଝିଅକୁ ମାରିଦେଇଥିବା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବ୍ରଜରାଜନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳର ଝିଅ ତୁଳସୀ ମହାନନ୍ଦଙ୍କ ବେକରେ କିଛି ଫସିଯିବାରୁ ତାଙ୍କୁ ଚିକିତ୍ସା ପାଇଁ ଗାନ୍ଧୀ ଛକରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସରୋଜ ପ୍ରଧାନ ଦେଖି ତୁଳସୀକୁ ଏକ ଇଞ୍ଜେକସନ ଦେଇଥିଲେ। ଇଞ୍ଜେକସନ ନେବା ପରେ ତୁଳସୀ ସଜ୍ଞାହୀନ ହୋଇପଡ଼ିଥିଲେ। ଶେଷରେ ଉପାୟ ନପାଇ ଡାକ୍ତର ସରୋଜ ନିଜ କ୍ଲିନିକ୍‌ ଷ୍ଟାଫ୍‌ଙ୍କ ଦ୍ୱାରା କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡଳିଆ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ଅବସ୍ଥା ଜଟିଳ ଥିବା ଜାଣିପାରି ଝାରସୁଗୁଡ଼ା ପଠାଇ ଦେଇଥିଲେ। ଝାରସୁଗୁଡ଼ାରେ ଏକ ଘରୋଇ କ୍ଲିନିକରେ ତୁଳସୀଙ୍କର ଘଟିଥିଲା। ମୃତଦେହ ବ୍ରଜରାଜନଗରରେ ପହଞ୍ଚିବା ପରେ ଗ୍ରାମବାସୀ ସ୍ଥାନୀୟ ଥାନା ସମ୍ମୁଖରେ ଧାରଣା ଦେଇଥିଲେ।

Share