ଅନ୍‌ଲାଇନ ଗେମ୍‌ ଲାଗି ଯୁବ ଇଞ୍ଜିନିୟରଙ୍କ ଜୀବନ ଗଲା

ଜଳେଶ୍ୱର, ୧୬।୩(ଡି.ଏନ.ଏ.): ଅନଲାଇନରେ ଗେମ୍‌ ଖେଳି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ଲାଳସା ଯୁବପିଢିଙ୍କୁ କବଳିତ କରିଛି। ହେଲେ ଅନେକ ସମୟରେ ତାଙ୍କ ଅଜାଣତରେ ସେମାନେ ଲକ୍ଷ ଲକ୍ଷ ଟଙ୍କା ଠକାମିର ଶୀକାର ହେଉଛନ୍ତି। ଶେଷରେ ଅନ୍ୟ ଉପାୟ ନ ପାଇ ଆତ୍ମହତ୍ୟା ପନ୍ଥାକୁ ବାଛି ନେଉଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଳେଶ୍ୱର ଥାନା ଆମ୍ବଳିଅଠା ଗାଁରେ। ପୂର୍ବତନ ୱାର୍ଡ଼ ସଦସ୍ୟ ସ୍ବରୂପ ନନ୍ଦୀ ଓ ଅଙ୍ଗନୱାଡ଼ି କର୍ମୀ କଳ୍ପନାଙ୍କର ଏକମାତ୍ର ପୁଅ ସୌମିତ୍ର ନନ୍ଦୀ(୨୭) ଏଭଳି ଅନଲାଇନ ଗେମ୍‌ର ବଶବର୍ତ୍ତୀ ହୋଇ ଲକ୍ଷାଧିକ ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଛନ୍ତି।
ସୌମିତ୍ର ଇଞ୍ଜିନିୟରଂ ପାସ୍‌ କରି ବାଙ୍ଗାଲୋରରେ ଆଇଟି କ୍ଷେତ୍ରରେ ନିଯୁକ୍ତି ପାଇଥିଲେ। କିନ୍ତୁ ଲକ୍‌ଡାଉନ୍‌ ପରେ ଗାଁକୁ ଆସି ଅନ୍‌ଲାଇନ୍‌ରେ କମ୍ପାନୀ କାର୍ଯ୍ୟ କରିବା ସହ ବଳକା ସମୟରେ ଟ୍ରେଡ଼ିଂ ଆଣ୍ଡ ଗେମିଂରେ ଅଭ୍ୟସ୍ତ ହୋଇଥିଲେ। କେତେକ ଅପରାଧୀ ତାଙ୍କ ନାମରେ ଫେକ୍‌ ଏକାଉଣ୍ଟ ଖୋଲି ଅର୍ଥ ରୋଜଗାର କରିଆସୁଥିଲେ। ଇତି ମଧ୍ୟରେ ସେ ଲକ୍ଷ ଲକ୍ଷ ଟଙ୍କା ହରାଇ ଚାଲିଥିଲେ। କିଛିଦିନ ତଳେ ଜଳେଶ୍ୱର ଥାନାରେ ମାମଲା ରୁଜୁ ହେବାରୁ ପୋଲିସ୍‌ ତାଙ୍କ ଲାପ୍‌ଟପ୍‌ ଓ ମୋବାଇଲ ଜବତ କରିଥିଲା। ପରେ ତାଙ୍କ ବାପା ସ୍ବରୂପ ନନ୍ଦୀ ଜମି ବିକ୍ରି କରି ୧୨ଲକ୍ଷ ଟଙ୍କା ପରିଶୋଧ କରିଥିଲେ। ଅପରାଧୀମାନେ ତାଙ୍କୁ ବାରମ୍ବାର ଅର୍ଥ ମାଗୁଥିବାରୁ ସେ ବହୁ ସମୟରେ ବିଚଳିତ ଅବସ୍ଥାରେ ରହୁଥିଲେ। ଶେଷରେ ପରିସ୍ଥିତି ଜଟିଳ ହେବାରୁ ସୌମିତ୍ର ମାନସିକ ଭାରସାମ୍ୟ ହରାଇ ଏକ ସୁଇସାଇଡ୍‌ ନୋଟ ଲେଖି ଘାସମରା ବିଷ ପିଇ ଦେଇଥିଲେ। ପରିବାର ଲୋକେ ଏହା ଜାଣିବା ପରେ ପ୍ରଥମେ ଜିକେଭଟ୍ଟର ହସ୍‌ପିଟାଲ, ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରିଥିଲେ। ମଙ୍ଗଳବାର ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ମୃତଦେହ ଫେରୁଥିବା ବେଳେ କେତେକ ବ୍ୟକ୍ତି ଅଟକାଇ ସେମାନଙ୍କ ଟଙ୍କା ଦାବି କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କର ମୃତଦେହ ଗାଁରେ ପହଞ୍ଚତ୍ ନ ଥିଲା। ଉକ୍ତ ସୁଇସାଇଡାଲ ନୋଟ୍‌ରେ ସେ ମା’ବାପାଙ୍କ ପାଖରେ କ୍ଷମା ମାଗିବା ସହ ପରିସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

Share