ପୁରୀ ଅଫିସ,୧୬।୪(ବ୍ୟୁରୋ): ଶ୍ରୀମନ୍ଦିର ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଛି । ଅଟକ ଯୁବକ ହେଲେ ରାକେଶ ହାଜରା । ତାଙ୍କ ଘର ପଶ୍ଚିମବଙ୍ଗ ହଳଦିଆପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ରାକେଶ ଶ୍ରୀମନ୍ଦିର ଭିତରେ ଥିବା ନାଟ ମଣ୍ଡପ ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ପ୍ରଥମେ ଶ୍ରୀମନ୍ଦିର ଜଗନ୍ନାଥ ଟେମ୍ପଲ ପୋଲିସ (ଜେଟିପି) ଉଦ୍ଧାର କରିଥିଲେ । ଏହା ପରେ ସିଂହଦ୍ୱାର ଥାନା ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଯୁବକ ଜଣକ କେଉଁ ପରିସ୍ଥିତିରେ ନାଟ ମଣ୍ଡପରେ ଚଢ଼ିଥିଲେ ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଶ୍ରୀମନ୍ଦିରରେ ଏକ ଅଘଟଣ ଘଟିଥିଲା। ଜଣେ କିନ୍ନର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଡେଇଁ ପଡ଼ିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।