ହସ୍ପିଟାଲ ତୃତୀୟ ମହଲାକୁ ଚଢ଼ି ନାକେଦମ କଲେ ଯୁବକ

ଅନୁଗୋଳ ଅଫିସ,୧।୯: ଆଉ କେଉଁଠିକୁ ନୁହେଁ, ହସ୍ପିଟାଲ ତୃତୀୟ ମହଲା ଝରକା ତାଜାକୁ ଚଢ଼ି ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ହସ୍ପିଟାଲ କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନାକେଦମ ହୋଇଥିଲେ। ଶେଷରେ ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ ପରେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ। ବୁଧବାର ସକାଳେ ହଠାତ ଜଣେ ଯୁବକ ତୃତୀୟ ମହଲାର ତାଜା ଉପରକୁ ଚଢ଼ିବା ସହ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଏ ନେଇ ଚିକିତ୍ସାଳୟ ପକ୍ଷରୁ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା। ଦୀର୍ଘ ଅଢ଼େଇ ଘଣ୍ଟା ଧରି ଉଦ୍ଧାରକାର୍ଯ୍ୟ ଚାଲିଥିଲା। ତଳେ ଏକ ଜାଲ ବିଛାଯିବା ସହ ଉପରକୁ ଶିଡ଼ି ପକାଇ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଅନ୍ୟ ଏକ ଟିମ ସମ୍ପୃକ୍ତ ଯୁବକଙ୍କୁ ବୁଝାଶୁଝା ଉଦ୍ୟମ କରିଥିଲେ। ଶେଷରେ ଏକ ଦଉଡି ସାହାଯ୍ୟରେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଯୁବକ ଜଣଙ୍କ ଘର ଅନୁଗୋଳ ସଦର ଥାନା ଅଞ୍ଚଳରେ। ସେ ଦୁଇ ବର୍ଷ ପୂର୍ବେ ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ମାନସିକ ବିକାରଗ୍ରସ୍ତ ହୋଇ ଦୁଇଦିନ ହେଲା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ।

Share