ଆଖିରେ ପଟି ବାନ୍ଧି ୫ ସେକେଣ୍ଡ୍‌ରେ ପିଆଜ କାଟୁଛନ୍ତି ଯୁବକ

ମୁମ୍ବାଇ,୨ା୧୦: ମହାରାଷ୍ଟ୍ରର ଜଣେ ଯୁବକ ଆଖିରେ ପଟି ବାନ୍ଧି ପିଆଜ କାଟି ପକାଉଛନ୍ତି। ଓ୍ବାଶିମ ଜିଲାର ସେଲୁ ବଜାରରେ ରହୁଥିବା ଜିତେଶଙ୍କ ଏପରି ଅଭିନବ କାମ ସମସ୍ତଙ୍କୁ ଚକିତ କରିଦେଇଛି। ଜିତେଶ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଛନ୍ତି। ତାଙ୍କ ପିତା ୩୫ ବର୍ଷ ଧରି ଏକ ଛୋଟ ଚା’-ଜଳଖିଆ ଦୋକାନ କରିଛନ୍ତି।

ଜିତେଶଙ୍କ ପିତା କୁହନ୍ତି, ଜିତେଶ ଯେତେବେଳେ ଛୋଟ ଥିଲେ ସେ ତାଙ୍କୁ ପିଆଜ କାଟିବା କାମ ଦେଉଥିଲେ। ପିଆଜ କାଟିବା ଜିତେଶଙ୍କର ୧୭ ବର୍ଷ ହୋଇଗଲାଣି। ତାଙ୍କର ଏପରି ପିଆଜ କାଟିବା ଶୈଳୀ ଆଜି ପୂରା ଦୁନିଆରେ ଚର୍ଚ୍ଚାରେ ରହିଛି। ମାତ୍ର ୫ ସେକେଣ୍ଡରେ ଜିତେଶ ପିଆଜ କାଟି ଦେଇଥାନ୍ତି।

ଜିତେଶ କୁହନ୍ତି, ସେ ଛୋଟବେଳେ ଦୁଇଥର ଆଘାତ ପାଇଛନ୍ତି। ମାତ୍ର ପିଆଜ କାଟିବା ବନ୍ଦ କରିନାହାନ୍ତି। ସେ ପିଆଜକଟାରେ ଏତେ ଅଭ୍ୟସ୍ତ ହୋଇଗଲେ ଯେ, ଛୁରି ତାଙ୍କର ସାଥୀ ପାଲଟିଗଲା। ପିଆଜ କାଟିଲେ ଆଖିରୁ ଲୁହ ବାହାରେ ବୋଲି ଜିତେଶ ପ୍ରଥମେ ପଟି ବାନ୍ଧି ଥିଲେ। ଏହା ଏବେ ତାଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି। ଯାହା ଏବେ ଚର୍ଚ୍ଚାରେ ରହିଛି। ତାଙ୍କ ଦୋକାନକୁ ଆସୁଥିବା ଗ୍ରାହକମାନେ ଜିତେଶଙ୍କର ଏପରି କାମ ଦେଖି ଖୁବ୍‌ ପ୍ରଶଂସା କରନ୍ତି। ଦୋକାନରେ ପ୍ରତିଦିନ ୮ କେଜି ପିଆଜ କଟାଯାଏ। ଯାହାକୁ ୧ଘଣ୍ଟାରେ କାଟିଦିଅନ୍ତି ଜିତେଶ। ତାଙ୍କର ଏପରି କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।

Share