ଯାତ୍ରା ଦେଖିବାକୁ ଆସି ଯୁବକଙ୍କ ପ୍ରାଣ ଗଲା

ଅତାବିରା,୧୬ା୪(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ବ୍ଲକ ସଂକ୍ରୀଡ଼ା ବିନ୍ଧ୍ୟବାସିନୀ ପାହାଡ଼ରେ ହେଉଥିବା ଯାତ୍ରା ଦେଖିବାକୁ ଆସି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ଡାଲବୀ ଗ୍ରାମର କାହ୍ନା ମିଶ୍ର(୩୧) ବୋଲି ଜଣାପଡ଼ିଛି। ଭୀମସାର୍‌, ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ବୁର୍ଲା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି । ଏ ନେଇ ବୁର୍ଲା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ଏ ସମ୍ପର୍କରେ ସଂକ୍ରୀଡ଼ା ରାଜସ୍ବ ନିରୀକ୍ଷକ ବିଜୟ ପଟେଲଙ୍କୁ ପଚାରିବାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ, ମୃତ କାହ୍ନା ତାଙ୍କ ବଡ଼ଭଉଣୀ ଏବଂ ଭାଣିଜୀଙ୍କୁ ଧରି ବାଇକ୍‌ ଯୋଗେ ବିନ୍ଧ୍ୟବାସିନୀ ଯାତ୍ରା ଦେଖିବାକୁ ଯାଇଥିଲେ। ତେବେ ପାହାଡ଼ ଉପରେ ଯାତ୍ରା ଦେଖୁଥିବା ସମୟରେ ସେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ସେଠାରୁ ତାଙ୍କୁ କାଦୋବାହାଲ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରୁ ବୁର୍ଲାକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଅଂଶୁଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Share