ପାପଡ଼ାହାଣ୍ଡି,୧୬ା୧୦(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଜଟାବାଲ ଗ୍ରାମର ଝାରମୁଣ୍ଡାଠାରେ ବୁଡ଼ି ଜଣେ ଯୁବଙ୍କର ରବିବାର ମୃତ୍ୟୁ ଘଟିଛି। ତାଙ୍କ ନାମ ମିଳନ କୁଲଦୀପ(୧୮)। ସେ ପୋଖରୀକୁ ଗାଧୋଇବା ପାଇଁ କିଛି ପିଲାଙ୍କ ସହ ଯାଇଥିଲେ। ଏହି ସମୟରେ ସେ ପହଁରା ଜାଣି ନ ଥିବାରୁ ଗଭୀର ପାଣିରେ ବୁଡ଼ି ଯାଇଥିଲେ। କୁନିକୁନି ପିଲାମାନେ ବହୁ ସମୟ ଧରି ଦେଖି ମିଳନଙ୍କୁ ଡାକ ପକାଇଥିଲେ। ପରେ ଗ୍ରାମବାସୀଙ୍କୁ ଆସି ଖବର ଦେବା ପରେ ଗ୍ରାମବାସୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଘର ଆଦିବାସୀଗୁଡ଼ାରେ ବୋଲି ଜଣାପଡ଼ିଛି।