ଫିଲ୍ମ ଷ୍ଟାଇଲ୍‌ରେ ବାଇକ୍‌ ସହ କେନାଲ ଭିତରକୁ ପଶିଗଲେ ଯୁବକ: ପରେ ମିଳିଲା ମୃତଦେହ

ସାରସକଣା,୧୧ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ପୁନାସିଆ ଗ୍ରାମ ନିକଟ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ ପୁନାସିଆ ବିଟ୍‌ ଗେଟ୍‌ ବନ୍ଧ ଭିତରେ ବାଇକ ସହ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

ମିଳିଥିବା ସୂଚନାନୁଯାୟୀ, ଭୂରଷାଣି ଅଂଚଳର ଲିପୁନ୍‌ ପାତ୍ର(୩୩) ଓଡି-୧୧ଜି-୬୯୫୧ ନଂ ବିଶିଷ୍ଟ ବାଇକ୍‌ ଯୋଗେ ରବିବାର କାଶିଆବେଡ଼ାସ୍ଥିତ ନିଜ ଭଉଣୀ ଘରୁ ଫେରିବା ସମୟରେ ପୁନାସିଆ ନିକଟସ୍ଥ କେନାଲ ବନ୍ଧ ତଳକୁ ଭାରସାମ୍ୟ ହରାଇ ବାଇକ୍‌ ସହ ଖସି ପଡ଼ିଥିଲେ। ନିକଟସ୍ଥ ଦେଖଣାହାରୀମାନେ ଅନେକ ଚେଷ୍ଟା କରି ମଧ୍ୟ ତାଙ୍କୁ ଉଦ୍ଧାର କରି ନ ପାରି ପୋଲିସକୁ ଖବର ଦେଇଥିଲେ। ଥାନାଧିକାରୀ ଫନୀନ୍ଦ୍ର ଭୂଷଣ ନାଏକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସାରସକଣା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବାଇକ୍‌ ସହ ଲିପୁନ୍‌ଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏନେଇ ଝାରପୋଖରିଆ ଥାନାରେ କେସ୍‌ ନଂ ୨୮୬/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବାରିପଦାସ୍ଥିତ ପିଆରଏମ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

Share