ଅନୁଗୋଳ ଅଫିସ,୮ା୫: ଅନୁଗୋଳ ସହର ଉପକଣ୍ଠ କୁଇଓ ଗ୍ରାମରେ ସୋମବାର ପୂର୍ବାହ୍ନରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି। ମୃତ ନାବାଳିକା ହେଲେ, ଭାଗୀରଥି ସାହୁଙ୍କ ଝିଅ ଖୁସି (୧୨)। ତାଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ ସେମାନେ କୁଇଓରେ ରହୁଥିଲେ। ଆଜି ପୂର୍ବାହ୍ନରେ ଖୁସି ତାଙ୍କ ମା’ଙ୍କ ସହ ଘରେ ଥିଲେ। ହଠାତ୍ ଜଣେ ଯୁବକ ଘରେ ଧସେଇ ପଶିଥିଲେ। ଖୁସିଙ୍କ ମା’ଙ୍କୁ ଧକ୍କା ଦେଇ ଖୁସିଙ୍କ ବେକକୁ ଏକ ମାରଣାସ୍ତ୍ରରେ କାଟି ପଳାଇଥିଲେ। ଖୁସିଙ୍କ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ଏଠାରେ ମୃତ ଘୋଷଣା କରିଛନ୍ତି। ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ଏକତରଫା ପ୍ରେମରୁ ଏଭିଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।