Categories: ମେଟ୍ରୋ

ଚାକିରି ଚାଲିଯିବା ପରେ ଜୀବନ ହାରିଲେ ଯୁବକ

ଭୁବନେଶ୍ୱର,୧୩ା୭(ବ୍ୟୁରୋ): କରୋନା ଛଡ଼ାଇ ନେଲା ଜୀବିକା। ଚାକିରି ଚାଲିଯିବା ପରେ ଅସହ୍ୟ ହୋଇଗଲା ଆର୍ଥିକ ସମସ୍ୟା। ଶେଷରେ ଅର୍ଥ ଓ ପେଟ ଚିନ୍ତାରେ ଜୀବନ ହାରିଦେଲେ ଯୁବକ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଖଣ୍ଡଗିରି ଥାନା ଅଞ୍ଚଳରେ। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ କେନ୍ଦ୍ରାପଡା ଜିଲା ରାଜନଗରର ଚନ୍ଦନ ଜେନା(୨୫)। ପୋଲିସ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଚନ୍ଦନ ଭୁବନେଶ୍ୱର ଭରତପୁରରେ ଘର ଭଡ଼ା ନେଇ ରହିବା ସହ ଏକ ଘରୋଇ ସଂସ୍ଥାରେ ଚାକିରି କରିଥିଲେ। ନିଜେ ଚଳି ଘରକୁ ଟଙ୍କା ଦେଉଥିଲେ। ଆର୍ଥିକ ସ୍ଥିତି ଭଲ ନ ଥିବାରୁ ତାଙ୍କ ରୋଜଗାର ଉପରେ ପରିବାର ଲୋକେ ନିର୍ଭର କରୁଥିଲେ। ହେଲେ କରୋନା ପାଇଁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ଯୋଗୁ କମ୍ପାନୀ ବନ୍ଦ ହୋଇଗଲା। ହେଲେ କମ୍ପାନୀ ଖୋଲିବା ପରେ ତାଙ୍କ ସହ ଅନ୍ୟ କେତେଜଣଙ୍କୁ ଛଟେଇ କରାଗଲା। ବିନା ଦରମାରେ ଘର ଭଡ଼ା ଦେଇ ଚାକିରି ଖୋଜିଥିଲେ ମଧ୍ୟ ଆଉ ମିଳି ନ ଥିଲା। ଫଳରେ ତାଙ୍କ ଉପରେ ଆର୍ଥିକ ବୋଝ ବଢ଼ି ଚାଲିଥିଲା। ଏଥିପାଇଁ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ଶନିବାର ବିଳମ୍ବିତ ରାତିରେ ସେ ବେକରେ ଗାମୁଛା ଲଗାଇ ରହୁଥିବା ଘରର ଫ୍ୟାନ୍‌ରେ ଝୁଲି ପଡିଥିଲେ। ସକାଳୁ ଜଣେ ସାଙ୍ଗ ଫୋନ୍‌ କରିଥିଲେ ମଧ୍ୟ ସେ ନ ଉଠାଇବାରୁ ତାଙ୍କ ଘରକୁ ଆସି କବାଟ ବନ୍ଦ ଥିବା ଦେଖିଥିଲେ। ପୋଲିସ ପହଞ୍ଚି  ତାଲା ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା।

Share