ବିବାହ ପୂର୍ବରୁ ଜୀବନ ହାରିଲେ ଯୁବକ

ଲଙ୍ଗଳେଶ୍ୱର,୧୪।୭(ଡି.ଏନ୍‌.ଏ.): ଆଉ ଦିନ କେଇଟା ପରେ ହୋଇଥାନ୍ତା ବାହାଘର। ଏହା ପୂର୍ବରୁ ଜୀବନ ହାରିଦେଲେ ଯୁବକ। ବେକରେ ରଶି ଲଗାଇ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ପ୍ରତାପପୁର ଗ୍ରାମରେ ଘଟିଛି ଏଭଳି ଦୁଃଖଦ ଘଟଣା।
ସୂଚନା ଅନୁଯାୟୀ, ଗ୍ରାମର ଦିଗ୍‌ବିଜୟ ସାହୁ(୨୫)ଙ୍କ ଆସନ୍ତା ୧୮ ତାରିଖରେ ଥିଲା ବିବାହ ଉତ୍ସବ। ଦିନ ଧାର୍ଯ୍ୟ ହେବା ପରେ ପରିବାର ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। ଏହି ବିବାହ ଉତ୍ସବକୁ ନେଇ ସମସ୍ତେ ଖୁସି ଥିଲେ। କିନ୍ତୁ ବାହାଘରକୁ ବିରୋଧ କରୁଥିଲେ ଦିଗ୍‌ବିଜୟ। ନିଜର ରୋଗ ଥିବାରୁ ସେ ବାହାଘରକୁ ବିରୋଧ କରୁଥିଲେ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଥିବା ଫ୍ୟାନ୍‌ରେ ରଶି ଲଗାଇ ଦିଗ୍‌ବିଜୟ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିଥିଲେ। ଖବର ପାଇ ବୁଧବାର ଜାମକୁଣ୍ଡା ଫାଣ୍ଡି ଏସ୍‌ଆଇ ସାରଦା ପ୍ରସନ୍ନ ମୁଦୁଲି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ପୋଲିସ ଅପମୃତ୍ୟୁ ମାମଲା (ନଂ.୨୭/୨୧) ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Share