Advertisement

ନିଜେ ବିଛାଇଥିବା ବିଦ୍ୟୁତ୍‌ ତାରରେ ଯୁବକଙ୍କ ଜୀବନ ଗଲା

ରିଆମାଳ୯।୧: ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ ଶ୍ୟାମପାଲି ଗ୍ରାମର ଏକ ବଗିଚାରେ ବାର୍‌ହା ଶିକାର ପାଇଁ ନିଜେ ବିଛାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପ୍ରଦୀପ ପ୍ରଧାନ (୩୫)। ଖବର ପାଇ ରିଆମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।
ପୋଲିସ ସୂଚନା ମୁତାବକ, ଶ୍ୟାମପାଲି ଗ୍ରାମର ଇଶ୍ୱର ପ୍ରଧାନ ଓ ତାଙ୍କ ଭାଇ ରସାନନ୍ଦ ପ୍ରଧାନ ଗାଁ ଜଙ୍ଗଲ ନିକଟରେ ମିଳିତ ଭାବେ ବଗିଚା କରି ସେଠାରେ ଆଳୁ, ପିଆଜ ଓ ଶୋରିଷ ଆଦି ଚାଷ କରିଥିଲେ । ଉକ୍ତ ବଗିଚା ଦେଇ ବିଭିନ୍ନ ସମୟରେ ଜଙ୍ଗଲି ବାର୍‌ହା ଯାତାୟାତ କରିବା ସହ ଫସଲ ନଷ୍ଟ କରୁଥିଲେ। ଫଳରେ ବାର୍‌ହା ଶିକାର ପାଇଁ ଗତ ଗୁରୁବାର ରାତ୍ରିରେ ଈଶ୍ୱରଙ୍କ ପୁଅ ପ୍ରଦୀପ ଓ ରସାନନ୍ଦଙ୍କ ପୁଅ ନିରଞ୍ଜନ ସେଠାରେ ବିଦ୍ୟୁତ୍‌ ତାର ବିଛାଇଥିଲେ। ଶୁକ୍ରବାର ସକାଳେ ବାର୍‌ହା ଆସିଛି କି ନାହିଁ ଯାଞ୍ଚ କରିବାକୁ ପ୍ରଦୀପ ବଗିଚାକୁ ଯାଇଥିଲେ ଏବଂ ଅସାବଧାନତା ବଶତଃ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । କିଛି ସମୟ ପରେ ନିରଞ୍ଜନ ସେଠାକୁ ଯାଇ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ ମଧ୍ୟ ସେ ଏହି ସମ୍ପର୍କରେ କାହାକୁ ସୂଚନା ନ ଦେଇ ନ ଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଦୀପ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜିି ପରେ ବିଳମ୍ବିତ ରାତିରେ ମୃତଦେହ ବଗିଚାରେ ପଡିଥିବା ଦେଖିବାକୁ ପାଇଥିଲେ। ମୃତ ପ୍ରଦୀପ ରିଆମାଳ ବନାଞ୍ଚଳରେ ଜଣେ ପ୍ଲାଣ୍ଟେଶନ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ ବୋଲି ବନ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share