ଶ୍ମଶାନରୁ ଫେରି ପୁଣି ଚିକିତ୍ସିତ ହେଲେ ଯୁବକ

ସମ୍ବଲପୁର,୧୨ା୫ (ବ୍ୟୁରୋ): ମଙ୍ଗଳବାର ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ମୃତ ଘୋଷଣା ପରେ ଶ୍ମଶାନକୁ ନିଆଯାଇଥିଲା। ହେଲେ ସେଠାରେ ପରିବାର ବର୍ଗ ଜୀବିତ ଜାଣିବା ପରେ ପୁଣି ଭିମ୍‌ସାରକୁ ଚିକିତ୍ସା ପାଇଁ ଆଣିଥିଲେ। ଏ ସମ୍ପର୍କରେ ଅଧୀକ୍ଷକ ପ୍ରଫେସର ଡା. ଲାଲମୋହନ ନାୟକ କହିଛନ୍ତି ଯେ, ଏଭଳି ଘଟଣା ଭିମ୍‌ସାରରେ ହୋଇନାହିଁ। ଜଣଙ୍କ ମୃତ୍ୟୁ ହେଲା ପରେ ପ୍ରାୟ ଅଧଘଣ୍ଟା କାଗଜପତ୍ର ପ୍ରକ୍ରିୟା କରାଯାଇଥାଏ। ଜୀବିତଙ୍କୁ ମୃତ ଘୋଷଣା କରାଯାଇ ନ ଥାଏ। ଭିମ୍‌ସାରକୁ ବଦ୍‌ନାମ କରିବା ପାଇଁ ଏହା ଏକ ଚକ୍ରାନ୍ତ।
ମିଳିଥିବା ଖବର ଅନୁସାରେ ବରଗଡ ଜିଲାର ଜଣେ ୪୦ ବର୍ଷିୟ ଯୁବକ ସଂକ୍ରମିତ ହୋଇ ଭିମ୍‌ସାର କୋଭିଡ୍‌ ମେଡିକାଲରେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ସକାଳୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଶାସନ ପକ୍ଷରୁ ବୁର୍ଲାର ଶ୍ମଶାନରେ ମୃତଦେହ ସତ୍କାର ପାଇଁ ନିଆଯାଇଥିଲା। ସେଠାରେ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ। ଯୁବକଙ୍କୁ ଜୁଇରେ ରଖାଯାଇଥିଲା। ପୂଜାବିଧି ପରେ ଅଗ୍ନି ସଂଯୋଗ କରିବା ସମୟରେ ପରିବାରର ଜଣେ ସଦସ୍ୟ ଯୁବକ ଜୀବିତ ଥିବା ସନ୍ଦେହ କରିଥିଲେ। ପରେ ପାଖକୁ ଯିବାରୁ ଯୁବକ ଜୀବିତ ଥିବା ଜାଣିପାରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଭିମ୍‌ସାରକୁ ଆଣି ଚିକିତ୍ସା କରାଯାଇଥିଲା। ପରିବାର ବର୍ଗ ଏ ନେଇ କୌଣସି ଥାନାରେ ଅଭିଯୋଗ କରିନାହାନ୍ତି।
ଭିମ୍‌ସାରରେ ଚିକିତ୍ସା ଅବହେଳାକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଆସୁଛି। ଅକ୍ସିଜେନ୍‌ ଷ୍ଟକ୍‌ ଥାଇ ମଧ୍ୟ ରୋଗୀଙ୍କୁ ଦିଆଯାଉ ନାହିଁ। ଏହି କାରଣରୁ ୨ ଦିନରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହି ଘଟଣାକୁ ଭିମ୍‌ସାର କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଅଧୀକ୍ଷକ ପ୍ରଫେସର ନାୟକ କହିଛନ୍ତି, ବର୍ତ୍ତମାନ ମେଡିକାଲରେ ୧୦୬୦ ବଡ ଓ ୧୩୦୦ ଛୋଟ ଅକ୍ସିଜେନ ସିଲିଣ୍ଡର ମହଜୁଦ ରହିଛି।

Share