ରାସ୍ତାରୁ ପାଇଥିବା ଟଙ୍କା ଫେରାଇଦେଲେ ଯୁବକ

ଜହ୍ନାପଙ୍କ, ୨୯।୯(ଡି.ଏନ.ଏ.)
ଦିନକୁ ଦିନ ମଣିଷ ଅର୍ଥ ସର୍ବସ୍ବ ହୋଇଯାଉଛି। ଟଙ୍କା ପାଇଁ ଭୁଲ୍‌ ରାସ୍ତା ଆପଣାଉଛି। ହେଲେ ଏସବୁ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପାଇଥିବା ଟଙ୍କାକୁ ଫେରାଇ ଦେଇ ମଣିଷ ପଣିଆକୁ ଉଜାଗର କରିଛନ୍ତି। ସେହିପରି ଜଣେ ନିଆରା ବ୍ୟକ୍ତି ହେଉଛନ୍ତି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜହ୍ନାପଙ୍କ ଗ୍ରାମର ପ୍ରକାଶ ବାରିକ। ଗତ ୨୫ତାରିଖରେ ପ୍ରକାଶ ତାଙ୍କ ସାଙ୍ଗ ବିଭୀଷଣ ପ୍ରଧାନ ଜହ୍ନାପଙ୍କ-ଖମାରୀପଡା ରାସ୍ତାରେ ଯାଉଥିବା ବେଳେ କେନାଲ ପୋଲ ନିକଟରୁ ୩ହଜାର ଟଙ୍କା(୬ଟି ୫୦୦ ଟଙ୍କିଆ ନୋଟ) ପାଇଥିଲେ। ଟଙ୍କା ପ୍ରକୃତରେ କାହାର ଓ କିପରି ଫେରାଇବେ ସେ ନେଇ ଉଭୟେ ଚିନ୍ତିତ ହୋଇ ପଡିଲେ। ଉପଯୁକ୍ତ ପ୍ରମାଣ ଦେଇ ତାଙ୍କ ନିକଟରୁ ଟଙ୍କା ନେଇଯିବାକୁ ଅନୁରୋଧ କରି ପ୍ରକାଶ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସାମାଜିକ ଗଣମାଧ୍ୟମରୁ ସୂଚନା ପାଇ ସୋମବାର ସକାଳେ ବୌଦ୍ଧ ବ୍ଲକ ପଦ୍ମନପୁର ଗ୍ରାମର ବାଦଲ ମହାନନ୍ଦିଆ ପ୍ରକାଶଙ୍କ ନିକଟରେ ପହଞ୍ଚତ୍ଥିଲେ। ବାଦଲ ଏ ନେଇ ଆବଶ୍ୟକ ପ୍ରମାଣ ଦେବା ପରେ ପ୍ରକାଶ ଉକ୍ତ ଟଙ୍କା ତାଙ୍କୁ ଫେରାଇ ଦେଇଥିଲେ। ତିନି ଦିନ ତଳେ ହଜାଇ ଦେଇଥିବା ଟଙ୍କାକୁ ଆଉ ଫେରି ପାଇବାର ଆଶା ହରାଇଥିବା ବାଦଲ ଟଙ୍କା ଫେରିପାଇ ପ୍ରକାଶଙ୍କୁ କୃତଜ୍ଞତା ଜଣାଇଥିଲେ। ପ୍ରକାଶଙ୍କ ଏଭଳି ସଚ୍ଚୋଟ ପଣିଆକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Share