କରୋନା ରୋଗୀଙ୍କ ସହୟତା ପାଇଁ ନିଜ ଏସ୍‌ୟୁଭି କାର୍‌ ବିକ୍ରି କଲେ ଯୁବକ

ମୁମ୍ବାଇ,୨୪।୬: ଦେଶରେ କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଭାରତରେ କରୋନାରୁ ଅଧିକ ପ୍ରଭାବିତ ହେଉଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ଏଠାରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନା ପ୍ରକୋପରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ଓ ସ୍ବେଚ୍ଛସେବୀ ସଂଗଠନ ଆଗେଇ ଆସିଛନ୍ତି। ଇତିମଧ୍ୟରେ ମୁମ୍ବାଇର ୨ଜଣ ଯୁବକ କରୋନା ରୋଗୀଙ୍କୁ ସହାୟତା କରିବାକୁ ଯାଇ ନିଜର ଏସ୍‌ୟୁଭି କାର୍‌ ବିକ୍ରି କରିଦେଇଛନ୍ତି। ଆଉ ଏହା ବଦଳରେ ସେ ଲୋକଙ୍କୁ ଅକ୍ସିଜେନ୍‌ ସିଲିଣ୍ଡର ବାଣ୍ଟୁଥିବା ଜଣାପଡ଼ିଛି। ପ୍ରତିଦିନ ସେମାନେ ୧୫ରୁ ୨୦ଟି ସିଲିଣ୍ଡର ବାଣ୍ଟିଥାନ୍ତି। ସୂଚନାଯୋଗ୍ୟ, ମୁମ୍ବାଇର ମଲାଡରେ ରହୁଥିବା ଶାହନଓ୍ବାଜ ହୁସେନ ଓ ଅବ୍ବାସ ରିଜଓ୍ବି ଦୁହେଁ ଭଲ ସାଙ୍ଗ। ଅବ୍ବାସଙ୍କ ଜଣେ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ଅକ୍ସିଜେନ୍‌ ଅଭାବରୁ ହୋଇଥିଲା। ଫଳରେ ଏହି ଘଟଣା ପରେ ଶାହନଓ୍ବାଜ ଓ ଅବ୍ବାସ ଭାବିଥିଲେ ଯେ, ପ୍ରତିଦିନ ଅକ୍ସିଜେନ ଅଭାବରୁ ଏଭଳି କେତେକ ଲୋକଙ୍କ ମୃତ୍ୟୁ ଘଟୁଥିବ। ତେଣୁ ଅକ୍ସିଜେନ ଆବଶ୍ୟକ ହେଉଥିବା ଲୋକଙ୍କ ଜୀବନ ରକ୍ଷା ଲାଗି ଦୁହେଁ ଅଣ୍ଟାଭିଡ଼ିଥିଲେ। କିଛି ଟଙ୍କା ଏକଜୁଟ୍‌ କରି ସେମାନେ ସିଲିଣ୍ଡର ବାଣ୍ଟିବା ଆରମ୍ଭ କରିଥିଲେ। ମାତ୍ର ୩୦ଟି ସିଲିଣ୍ଡର ବାଣ୍ଟିବା ପରେ ସେମାନଙ୍କ ପାଖରେ ଟଙ୍କା ଅଭାବ ଦେଖାଦେଇଥିଲା। ତେବେ ସେହି ସମୟରେ ମନଉଣା ନ କରି ଶାହନଓ୍ବାଜ ନିଜର ଦାମୀ ଗାଡ଼ି ଏସ୍‌ୟୁଭି କାର୍‌କୁ ବିକ୍ରି କରିଦେଇଥିଲେ। ଆଉ ସେହି ଟଙ୍କାରେ ସେମାନେ ଆବଶ୍ୟକ ଥିବା ଲୋକଙ୍କୁ ସିଲିଣ୍ଡର ବାଣ୍ଟୁଛନ୍ତି। ଲୋକଙ୍କ ସହାୟତା ପାଇଁ ଏହି ୨ସାଙ୍ଗ ସବୁବେଳେ ପ୍ରସ୍ତୁତ ରହିଥାନ୍ତି। ରାତି ହେଉ କି ଦିନ ଯିଏ ଯେତେବେଳେ ସହାୟତା ଲୋଡିଲା ସେଠାରେ ସେମାନେ ହାଜିର ହୋଇଯାନ୍ତି। ଏହି ମହତ୍‌ କାର୍ଯ୍ୟ ଜୁନ୍‌ ୫ରୁ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଶାହନଓ୍ବାଜ ଓ ଅବ୍ବାସ ୨୫୦ରୁ ଊର୍ଦ୍ଧ୍ୱ ସିଲିଣ୍ଡର ବାଣ୍ଟିସାରିଲେଣି। ତେବେ ଏହି ୨ସାଙ୍ଗଙ୍କ କାର୍ଯ୍ୟକୁ ଏବେ ସବୁମହଲରେ ପ୍ରଶଂସା କରାଯାଉଥିବା ବେଳେ ଚାରିଆଡେ ଚର୍ଚ୍ଚା ଲାଗିରହିଛି। ସେପଟେ ଶାହନଓ୍ବାଜ କହିଛନ୍ତି, କାର୍‌ ପାଇଁ ମନଦୁଃଖ ନାହିଁ, ଏଥିରୁ ଯଦି ଜଣେ ଲୋକଙ୍କ ଜୀବନ ବଞ୍ଚିଯାଉଛି ତେବେ ସେଇଟା ମୋପାଇଁ ଖୁସିର କଥା।

Share