Categories: ଜାତୀୟ

ଗର୍ଲଫ୍ରେଣ୍ଡ ଖୋଜିବାରେ ବିଧାୟକଙ୍କ ସାହାଯ୍ୟ ଲୋଡିଲେ ଯୁବକ: ଆଉ ତା’ପରେ

ମୁମ୍ବାଇ,୧୪।୯: ଅଞ୍ଚଳର ସମସ୍ୟା ସମ୍ପର୍କରେ ଲୋକେ ବିଧାୟକ ଏବଂ ଏମ୍‌ପିଙ୍କୁ ଚିଠି ଲେଖିବା ଏକ ସାଧାରଣ କଥା। ଅନେକ ଲୋକ ସୁଖ କିମ୍ବା ଦୁଃଖ ସମୟରେ ମଧ୍ୟ ଅଞ୍ଚଳର ପ୍ରତିନିଧୀଙ୍କୁ ମନେ ପକାନ୍ତି। କିନ୍ତୁ ମହାରାଷ୍ଟ୍ରରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ଗର୍ଲଫ୍ରେଣ୍ଡ ଖୋଜୁଥିବା ଯୁବକ ରାଗିଯାଇ କଂଗ୍ରେସ ବିଧାୟକ ସୁଭାଷ ଧୋଟେଙ୍କୁ ଏକ ଚିଠି ଲେଖିଥିଲେ। ତେବେ ବିଧାୟକ ଏଭଳି ଚିଠିକୁ ଅନୁଚିତ୍‌ ବୋଲି କହିଛନ୍ତି। ଭୂଷଣ ଜାମୁବନ୍ତ ନାମକ ଜଣେ ଯୁବକ ବିଧାୟକ ସୁଭାଷ ଧୋଟେଙ୍କୁ ମରାଠୀରେ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ସାଥୀ ଖୋଜିବାରେ ବିଫଳତା ପ୍ରକାଶ କରିଛନ୍ତି ଏବଂ ଗର୍ଲଫ୍ରେଣ୍ଡ ଖୋଜିବାରେ ସେ ବିଧାୟକଙ୍କ ସାହାଯ୍ୟ ଲୋଡିଛନ୍ତି। କେବଳ ଏତିକି ନୁହେଁ, ସେ ଚିଠିରେ ମଧ୍ୟ କହିଛନ୍ତି ଯେ, ସଂପୃକ୍ତ ଅଞ୍ଚଳରେ ଅନେକ ଝିଅ ଅଛନ୍ତି, କିନ୍ତୁ କେହି ତାଙ୍କ ଗର୍ଲଫ୍ରେଣ୍ଡ ନୁହଁନ୍ତି। ଏବେ ବିଧାୟକ ଏହି ଯୁବକକୁ ଖୋଜୁଛନ୍ତି।

ଯୁବକ ଜଣକ ଲେଖିଛନ୍ତି, ପୁରା ତହସିଲରେ ଝିଅଙ୍କ ସଂଖ୍ୟା ଅଧିକ, ତଥାପି ମୋର କୌଣସି ଗର୍ଲଫ୍ରେଣ୍ଡ ନାହିଁ। ଏହା ଏକ ଚିନ୍ତାର ବିଷୟ।ଏହି କାରଣରୁ ମୋର ଆତ୍ମବିଶ୍ୱାସ ଦୁର୍ବଳ ହୋଇଯାଇଛି। ମୁଁ ରାଜୁରାଠାରୁ ଗଡଚାନ୍ଦୁରକୁ ଯାଏ-ଆସେ, ତଥାପି ଗୋଟିଏ ବି ଝିଅକୁ ପ୍ରେମ କରିବାରେ ସମର୍ଥ ହୋଇଯାରି ନାହିଁ। ଏହା ବ୍ୟତୀତ ଯୁବକ ଜଣକ ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଅସୁନ୍ଦର ଚେହେରା ଥିବା ଲୋକଙ୍କ ଗର୍ଲଫ୍ରେଣ୍ଡକୁ ଦେଖି ସେ ଇର୍ଷା କରନ୍ତି। ଏହା ସହିତ ଯୁବକ ଜଣଙ୍କ ବିଧାୟକଙ୍କୁ ସେହି ଅଞ୍ଚଳର ଝିଅମାନଙ୍କୁ ପ୍ରୋତ୍ସାହିତ କରିବାକୁ କହିଛନ୍ତି। ବିଧାୟକ ଧୋଟେ କହିଛନ୍ତି ଯେ ସେ ଏଭଳି ଚିଠି ପାଇ ନାହାଁନ୍ତି, କିନ୍ତୁ ହ୍ବାଟସଆପ୍‌ରେ ଏଭଳି ଏକ ଚିଠି ତାଙ୍କ ନିକଟକୁ ଆସିଛି। ସେ କହିଛନ୍ତି ଯେ, ଥରେ ଯୁବକଙ୍କ ସନ୍ଧାନ ମିଳିବା ପରେ ତାଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ।

Share