ପୁରୁଷୋତ୍ତମପୁର,୧୮ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ବାଡ଼ିପଟେ ଶବ୍ଦ ହୋଇଥିଲା। ଏହାଶୁଣି ଘରମାଲିକ ଉଠିଯାଇ ଦେଖିବା ବେଳେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ। ଚୋର ବୋଲି ଭାବି ପାଟିକରି ବାହାରକୁ ଯିବାବେଳେ ସେ ଘରମାଲିକ ଉପରକୁ ଇଟା ଖଣ୍ଡ ଓ ପାଖରେ ଥିବା ଏକ ଟିଣ ଫୋପାଡ଼ିଥିଲେ। ଏଥିରେ ଘରମାଲିକ କିଶୋର ନାୟକ ଆହତ ହୋଇ ଚିତ୍କାର କରିଥିଲେ। ଏହା ଶୁଣି ଗ୍ରାମର କିଛି ଲୋକ ଉଠି ଆସିଥିବା ବେଳେ ସେ ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ଦୌଡି ପଳାଇଥିଲେ। ଲୋକେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ କାବୁ କରି ଆଣି ଗ୍ରାମ ନିକଟସ୍ଥ ଏକ ଇଲେକ୍ଟ୍ରି ପୋଲ୍ରେ ବାନ୍ଧି ମାଡ଼ ମାରିଥିଲେ। ଏହି ମାଡ଼ରେ ସେହି ଯୁବକଙ୍କ ମୃତ୍ୟୁ ଘଟିଛି। ଖବର ପାଇ ପୁରୁଷୋତ୍ତମପୁର ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତ ଚଲାଇଛନ୍ତି। ଏହି ଯୁବକ ଜଣକ ପୁରୀ ଜିଲା ନିରାକାରପୁର ଅଞ୍ଚଳର ଓ ତାଙ୍କର ମାନସିକ ବିକୃତ ରହିଥିବାର ଜାଣିବାକୁ ମିଳିଛି। ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସ୍ପଷ୍ଟ ହେବ।