ବିବାହ ପ୍ରତିଶ୍ରୁତି ଦେଇ ଠକିଦେଲେ ଯୁବକ, ମାଡ଼ ମାରି ଗର୍ଭନଷ୍ଟ

ଭୁବନେଶ୍ୱର,୪।୩(ସତ୍ୟଜିତ୍‌ ରାଉତ):ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଠକେଇ କରିବା ସହ ମାଡ ମାରି ତାଙ୍କ ଗର୍ଭନଷ୍ଟ କରିବା ଅଭିଯୋଗରେ ଭୁବନେଶ୍ୱର ମହିଳା ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ରବିବାର ଗିରଫ କରିଛି। ସେ ହେଲେ ବଡଗଡ ଥାନା ଅନ୍ତର୍ଗତ କୋରଡକଣ୍ଟାରେ ରହୁଥିବା ବିହାରର ଧିରେନ୍ଦ୍ର ଠାକୁର ଓରଫ ଧିରେନ୍‌ (୩୪)। ଅଭିଯୁକ୍ତ ଧିରେନ୍‌ଙ୍କୁ କୋର୍ଟଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୀଡିତା ଯୁବତୀଙ୍କର ଭୁବନେଶ୍ୱର ଟଙ୍କପାଣି ରୋଡ୍‌ରେ ଏକ କନ୍‌ସଲ୍‌ଟାନ୍ସି ଅଫିସ ରହିଛି। ୨୦୧୯ ମସିହାରେ ଧିରେନ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଅଭିଯୁକ୍ତ ଧିରେନ୍‌ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିଲେ। ଏଥିସହ ବିଭିନ୍ନ ସମୟରେ ତାଙ୍କଠାରୁ ୨୦ଲକ୍ଷ ଟଙ୍କା ମଧ୍ୟ ନେଇ ଯାଇଥିଲେ। ତେବେ ଧିରେନ୍‌ ବିବାହିତ ବୋଲି ଜାଣିବା ପରେ ଯୁବତୀ ଜଣକ ତାଙ୍କୁ ଟଙ୍କା ଫେରାଇ ଦେବାକୁ କହିଥିଲେ। ଫଳରେ ଧିରେନ ତାଙ୍କୁ ଧମକ ଦେବା ସହ ମାଡ ମାରିଥିଲେ। ଫଳରେ ଯୁବତୀ ଜଣକ ଗୁରୁତର ଆହତ ହୋଇଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଯୁବତୀଙ୍କ ଗର୍ଭନଷ୍ଟ ହୋଇଯାଇଥିବା ଜଣାପଡିଥିଲା। ଚିକିତ୍ସିତ ହୋଇ ଫେରିବା ପରେ ସେ ମହିଳା ଥାନାରେ ଏତଲା ଦେଇଥିଲେ। ଶୁକ୍ରବାର ପୋଲିସ ଏକ ମାମଲା (ନଂ.୪୫/୨୦୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୂଚନାଯୋଗ୍ୟ, ପୂର୍ବରୁ ଏୟାରଫିଲ୍ଡ ଥାନାରେ ଧିରେନ୍ଦ୍ରଙ୍କ ନାମରେ ଗୋଟିଏ ଆପରାଧିକ ମାମଲା ରହିଥିବା ଜଣାପଡିଛି।

Share