ଯୁବକଙ୍କୁ ମାଡ଼ ମାରି ସାତବେଣ୍ଟିଆ କରି ବୁଲାଇଲେ

ମଙ୍ଗୁଳି,୨୧ା୭(ଡି.ଏନ୍‌.ଏ.): କଟକ ଜିଲା ଟାଙ୍ଗୀ ହାଟବଜାରରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟବସାୟୀଙ୍କ ପକେଟ୍‌ରୁ ମନିପର୍ସ ଚୋରି କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ମରାଯିବା ସହ ତାଙ୍କ ମୁଣ୍ଡ ଓ ଆଖିପତାର ଚୁଟି କାଟି ସାତବେଣ୍ଟିଆ କରି ହାଟରେ ବୁଲା ଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ହେବ ଟାଙ୍ଗୀ ହାଟରୁ ଚୋରି ହେଉଥିବା ଅଭିଯୋଗ ହୋଇଥିଲା। ବୁଧବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ହାଟର ଜଣେ ବ୍ୟବସାୟୀଙ୍କ ପକେଟ୍‌ରୁ ମନିପର୍ସ ଚୋରି ହୋଇଥିଲା। ଫଳରେ ସେଠାରେ ବୁଲୁଥିବା ଯାଜପୁର ଜିଲା ସମପୁର ଗ୍ରାମର ଅମର ଦାସଙ୍କ ଉପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସନ୍ଦେହ ହୋଇଥିଲା। ତାଙ୍କୁ କାବୁକରି ତଲାସୀ କରିବାକୁ ପକେଟ୍‌ରୁ ମନିପର୍ସ ବାହାରିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଯୁବକ ଅମରଙ୍କ ହାତକୁ ରଶିରେ ବାନ୍ଧି ଆଣ୍ଠେଇ ଦେଇଥିଲେ। ପରେ ମାଡ ମାରିବା ସହ ଏକ ଖୁରରେ ତାଙ୍କ ଚୁଟି କାଟି ହାଟରେ ବୁଲାଇଥିଲେ। ଅମର କାନ୍ଦି କାନ୍ଦି ନେହୁରା ହୋଇଥିଲେ ମଧ୍ୟ ସମ୍ପୃକ୍ତ ଯୁବକ ଜଣଙ୍କ କିଛି ଶୁଣି ନ ଥିଲେ। ଏପରି କି ଏହି ସମସ୍ତ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଏହି ଘଟଣା ପରେ ଅମର ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି। ଅପରପକ୍ଷେ ମାଡ଼ ମାରିଥିବା ଯୁବକଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଟାଙ୍ଗୀ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ କହିଛନ୍ତି, ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇନାହିଁ। ତଥାପି ଘଟଣାକୁ ଗୁରୁତ୍ୱ ସହ ନେଇ ଘଟଣାସ୍ଥଳକୁ ପୋଲିସ ପଠାଇ ତଦନ୍ତ ଜାରି କରାଯାଇଛି।