ସିଂହ ପଛରେ ବାଇକ୍‌ ଧରି ଗୋଡାଉଥିଲେ ଯୁବକ, ଆଉ ତା ପରେ

ଗୁଜୁରାଟର ଜୁନାଗଡରେ ଦୁଇଜଣ ବାଇକ ଆରୋହୀ ଏକ ସିଂହ ପଛରେ ଗୋଡାଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପରେ ଜଙ୍ଗଲ ଅଧିକାରୀମାନେ ଉଭୟ ଯୁବକଙ୍କୁ ଗିରଫ କରିଛନ୍ତି। ସେମାନେ ବାଇକ୍‌ରେ ସିଂହକୁ ଗୋଡାଉଥିବା ବୋଳେ ସିଂହ ଭୟଭୀତ ହୋଇ ଦୈାଡ଼ୁଥିବା ଦେଖାଯାଇଥିଲା।

ତେବେ ଏ ନେଇ ମୁଖ୍ୟ ଜଙ୍ଗଲ ସଂରକ୍ଷଣ ଅଧିକାରୀ ଡି.ଟି ଭାସାଭଡା କହିଛନ୍ତି, ଯେତେବେଳେ ଭିଡିଓ ଯାଞ୍ଚ କରାଯାଇଥିଲା ସେତେବେଳେ ଏହା ଗୁଜୁରାଟର ଗିର୍‌ ପୂର୍ବ ଫରେଷ୍ଟ ଡିଭିଜନର ତୁଲସିୟାମ ପରିସରର ଗାଦିଆ ଗ୍ରାମ ନିକଟରେ ଘଟିଥିବା ଜଣାପଡିଥିଲା। ଯେଉଁଠାରେ ଦୁଇ ସ୍ଥାନୀୟ ଲୋକ ସିଂହଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳିଥିଲା। ପରେ ସେମାନଙ୍କ ମଧ୍ୟରୁ ଜଣେ ୟୁନିସ ପଠାନ ଏବଂ ଅନ୍ୟ ଜଣେ ନାବାଳକ ବୋଲି ଜଣା ପଡ଼ିଥିଲା। ଦୁଇ ଅଭିଯୁକ୍ତ ଯୁବକ ସେମାନଙ୍କ ଦୁଇଟି ବାଇକ୍‌ରେ ସିଂହଙ୍କୁ ଗୋଡ଼ାଉଥିଲେ। ଏହି ସମୟରେ ବାଇକର ଶବ୍ଦ ଶୁଣି ସିଂହ ବହୁତ ଡରି ଯାଇ ଦୌଡ଼ିବାକୁ ଲାଗିଥିଲା। ପରେ ଉଭୟଙ୍କ ନାମରେ ମାମଲା ରୁଜୁ ହୋଇଛି।

ଭାସାଭଡା କହିଛନ୍ତି, ଉକ୍ତ ଅଞ୍ଚଳର ପଠାନଙ୍କୁ ନାବାଳିକଙ୍କ ସହ ଗିରଫ କରାଯାଇ ଶୁକ୍ରବାର ଦିନ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି, ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ସେମାନଙ୍କୁ ତିନି ବର୍ଷରୁ ସାତ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୨୫,୦୦୦ ଟଙ୍କା ଜୋରିମାନା ଦେବାକୁ ପଡିପାରେ। ଅଧିକାରୀ ଏହାକୁ ଏକ ଗୁରୁତର ଅପରାଧ ବୋଲି ବର୍ଣ୍ଣନା କରିଛନ୍ତି।

Share