ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବଡ଼ବିଲ,୧୦ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ସାଧୁସିଂହ ହଟିଂରେ ରବିବାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ୨୧ ବର୍ଷୀୟ କୁନୁ ଲୋହାର।

ସୂଚନାନୁଯାୟୀ, ରବିବାର ଏକ ପାରିବାରିକ କାର୍ଯ୍ୟକ୍ରମ ଥିବାରୁ କୁନୁ ନିଜ ଘର କାନ୍ଥରେ ରଙ୍ଗ ମାରୁଥିଲେ। କୁନୁଙ୍କ ଅଜାଣତରେ ଘର କାନ୍ଥ ନିକଟରେ ଥିବା ଏକ ଲୁହା ପାଇପରେ କୌଣସି କାରଣରୁ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା ବେଳେ ସେ ଉକ୍ତ ପାଇପ୍‌ଟିକୁ ଧରି ପକାଇଥିଲେ। ଫଳରେ କରେଣ୍ଟ ଖାଇ କୁନୁ ତଳେ ପଡ଼ିଯାଇଥିଲେ। ଏହା ଦେଖି ତୁରନ୍ତ ପରିବାର ଲୋକେ କୁନୁଙ୍କୁ ବଡ଼ବିଲସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ ବଡ଼ବିଲ ଥାନା ପୋଲିସ ପହଞ୍ଚି ୩୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ କୁନୁଙ୍କ ମୃତ୍ୟୁ ପରେ ଘରେ ହେବାକୁ ଥିବା ପାରିବାରିକ କାର୍ଯ୍ୟକ୍ରମ ବାତିଲ ହୋଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।