ପୂଜା ସାମଗ୍ରୀ ଦୋକାନରେ ନିଆଁ ଲଗାଇ ଜେଲ ଗଲେ ଯୁବକ

ଗଞ୍ଜାମ,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ ବଜାରଠାରେ ଥିବା ପୂଜାସାମଗ୍ରୀ ଦୋକାନରେ ବିଳମ୍ବିତ ରାତିରେ ହରିଜନ ସାହିର ଜଣେ ଯୁବକ ନିଆଁ ଲଗାଇ ଦେଇଥିଲେ। ବିଦେଶୀ ମଦ ଦୋକାନ ସିସିଟିଭି ଯାଞ୍ଚ ପରେ ସେହି ଦିନ ହିଁ ନିଆଁ ଲଗାଇ ଥିବା ଯୁବକଙ୍କୁ ପୋଲିସ ଥାନାକୁ ଉଠାଇ ଆଣିଥିଲା । ପଚରାଉଚରା ପରେ ସେ ନିଆଁ ଲଗାଇଥିବା ସ୍ବୀକାର କରିଥିଲେ। ଯୁବକଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି । ଜେଲ ଯାଇଥିବା ଯୁବକ ହେଲେ ବଜାର ହରିଜନ ସାହିର ହୀନ ନାୟକଙ୍କ ପୁଅ ହରେକୃଷ୍ଣ ନାୟକ।
ସୂଚନାଯୋଗ୍ୟ, ଦୁଇଦିନ ପୂର୍ବେ ପୂଜା ସାମଗ୍ରୀ ଦୋକାନ ମାଲିକ ବାସୁ ଗୌଡ଼ ଓ ହରିଜନ ସାହିର ଗଙ୍ଗାଙ୍କ ମଧ୍ୟରେ ମୋବାଇଲ ଚୋରି ନେଇ ବଚସା ହୋଇଥିଲା । ଏଥିରେ ହରେକୃଷ୍ଣ ଉତ୍ୟକ୍ତ ହୋଇ ଦୋକାନ ପୋଡିଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଶନିବାର ବିଳମ୍ବିତ ରାତିରେ ଏହି କାଣ୍ଡ ଘଟାଇଥିଲେ। ରବିବାର ଏ ନେଇ ଦୋକାନୀ ମାଲିକ ବଡ଼ ବଜାର ବଣିକ ସଙ୍ଘ କର୍ମକର୍ତ୍ତାଙ୍କ ଉପସ୍ଥିତରେ ଗଞ୍ଜାମ ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Share