ମାଛ ଧରିବାକୁ ଯାଇ ଯୁବକ ନିଖୋଜ

ପାଟଣା,୧୧।୮(ସ୍ବ.ପ୍ର.):କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ଆର ଆଇ ସର୍କଲ ବାଲିଯୋଡି ଦେଇ ପ୍ରବାହିତ ବୈତରଣୀ ନଦୀର ଭୀମକୁଣ୍ଡକୁ ବୁଧବାର ଅପରାହ୍ନରେ ମାଛ ଧରିବାକୁ ଯାଇଥିବା ଜଣେ ଯୁବକ ନିଖୋଜ ହୋଇଛନ୍ତି। ନିଖୋଜ ୨୮ ବର୍ଷୀୟ ଯୁବକ ଜଣକ ହେଉଛନ୍ତି ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମ ଝିଙ୍କ ବାହାଳି ସାହିର ଶିକର ନାଏକଙ୍କ ପୁଅ ଦୀପକ। ଖବର ପାଇ ଗୁରୁବାର ସକାଳୁ ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ଦୀପକଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି।
ସୂଚନା ଅନୁଯାୟୀ, ଦୀପକ ଫିଙ୍ଗା ଜାଲ ସାହାଯ୍ୟରେ ମାଛ ମାରିବା ପାଇଁ ଯାଇଥିବାବେଳେ ଆଉ ଫେରି ନ ଥିଲେ। ହଠାତ ଉପର ମୁଣ୍ଡରୁ ବଢି ପାଣି ଆସିଥିବାରୁ ଦୀପକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥାଇ ପାରନ୍ତି ବୋଲି ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଦୀପକ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଥିଲେ।

Share