Advertisement

ଫେସ୍‌ବୁକ୍‌ରେ ପୁତନା ବଧ ଶେୟାର କରି ଜେଲ୍‌ ଗଲେ ଯୁବକ

ନୟାଗଡ଼,୩ା୫(ଲୋକନାଥ ମିଶ୍ର):ଫେସ୍‌ବୁକ୍‌ର ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ପୁତନା ବଧ ଫଟୋ ଶେୟାର କରି ନୟାଗଡ଼ ସଦର ଥାନା ହରିପୁର ଗଁାର ରମାକାନ୍ତ ପଣ୍ଡା ଫସିଛନ୍ତି। ନୟାଗଡ଼ ଟାଉନ ଥାନା ପୋଲିସ ନୟାଗଡ଼ରୁ ରମାକାନ୍ତଙ୍କୁ ଗିରଫ କରି ଗତ ବୁଧବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ପରେ ରମାକାନ୍ତଙ୍କୁ ନୟାଗଡ଼ ସବ୍‌ଜେଲକୁ ପଠାଇ ଦିଆଯାଇଛି। ଭାଜପାର ନୟାଗଡ଼ ବିଧାୟକ ପ୍ରାର୍ଥିନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ମୁଣ୍ଡର ଫଟୋକୁ ଅନ୍ୟ ଜଣେ ନାରୀର ଫଟୋରେ ଏଡିଟିଂ କରି ସେଥିରେ ଭଗବାନ ଶ୍ରୀକୃଷ୍ଣଙ୍କୁ ରଖାଯାଇଛି। ପୁଣି ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ସ୍କ୍ରିନ ଫଟୋ ଏଥିରେ ସ୍ଥାନ ପାଇଛି।
ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନଙ୍କ ଅଭିଯୋଗ ଅନୁସାରେ ନୟାଗଡ଼ ଭାଜପା ବିଧାୟକ ପ୍ରାର୍ଥିନୀ ଓ ମୋତେ ବଦନାମ କରିବା ପାଇଁ ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ହରିପୁରର ରମାକାନ୍ତ ପଣ୍ଡା ପୁତନା ବଧ ହିନ୍ଦୀରେ ଲେଖି ଫେସ୍‌ବୁକ୍‌ରେ ଶେୟାର କରିଥିଲେ। ଏଭଳିଆ ଶେୟାରରେ ନୟାଗଡ଼ ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନାଙ୍କ ସହ ୩୮ ଜଣଙ୍କୁ ଟ୍ୟାଗ୍‌ କରି ଶେୟାର କରିଥିଲେ। ଗତ ୩୦ରେ ଏହି ଶେୟାର ନଜରକୁ ଆସିବା ପରେ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ.୧୦୬/୨୪)ରୁଜୁ କରିଥିଲା। ମାମଲା ପରେ ପୋଲିସ ଶେୟାର କରିଥିବା ଯୁବକ ରମାକାନ୍ତ ପଣ୍ଡାଙ୍କୁ କେବଳ ଗିରଫ କରିଛି। ଆମ ପାଇଁ ବଡ଼ ଆମ ନୟାଗଡ଼ର ଆଡ୍‌ମିନଙ୍କୁ ଗିରଫ ନ କରି ପୋଲିସ ପ୍ରସଙ୍ଗକୁ ଏଡାଇବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷେ ରମାକାନ୍ତ ହେଉଛନ୍ତି ଗଦାଧରପ୍ରସାଦ ପଞ୍ଚାୟତର ପୂର୍ବତନ ବିଜେଡି ସଭାପତି ଅର୍ଜୁନ ପଣ୍ଡାଙ୍କ ଭାଇ। ରମାକାନ୍ତ ହରି ଅର୍ଜୁନ ଢାବା ନିକଟରେ ମୋତେ ଗାଳିଗୁଲଜ କରି ଗାଡ଼ି ଚଢ଼ାଇ ଦେବାକୁ ଧମକ ଦେଇଥିଲେ। ଏପରିକି ଏସିଡ୍‌ ଫୋପାଡିବେ ବୋଲି କହିଥିଲେ ବୋଲି ଏତଲାରେ ଦର୍ଶାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share